ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ ବନ୍ଧମୁଣ୍ଡା ଗ୍ରାମର ଅବସରପ୍ରାପ୍ତ ଡ଼ାକ୍ତର ଅମ୍ବିକା ପ୍ରସାଦ ପରିଜା(୭୫)ଙ୍କ କଟକସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଅଛି । ଡ଼ାକ୍ତରୀ ଶିକ୍ଷା ପରେ ବିଭିନ୍ନ ସ୍ଥାନରେ ସୁନାମଧନ୍ୟ ଚିକିସôକଭାବେ ସେ ପରିଚିତ ଥିଲେ । ଏହା ସହିତ ଓମସାର ସଭାପତି ଓ ସମ୍ପାଦକ ଦାୟିତ୍ୱ ତୁଲାଇ ଡ଼ାକ୍ତରମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରୁଥିଲେ । ଅବସରପରେ ନିଜ ଜନ୍ମମାଟି ତେନ୍ତୁଲିପଦା ଗ୍ରାମ ନିକଟସ୍ଥ ମାଟିର ମହାକବି ଶୁଦ୍ରମୁନି ସାରଳାଦାସଙ୍କ ସମାଧି ଓ ସାଧନା ପୀଠରେ ଏକ ସାରଳାଦାସ ଗ୍ରାମ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିÂା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଓଡ଼ିଶାର ବିଭିନ୍ନ ବିଭାଗର ସୁନାମଧନ୍ୟ ଡ଼ାକ୍ତରମାନଙ୍କୁ ଆଣି ଗ୍ରାମବାସୀ ତଥା ଅଧିବାସୀମାନଙ୍କୁ ସ୍ୱାସ୍ଥ୍ୟମେଳା କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ । ଯାହା ତାଙ୍କ ପାଇଁ ଆଜି ଏହି ମାଟି ଚିରସ୍ମରଣୀୟ ହୋଇ ରହିଗଲା । ତାଙ୍କ ମୃତୁ୍ୟ ପାଇଁ ଆଜି ପୂର୍ବାହ୍ନରେ ସ୍ୱସ୍ଥ୍ୟକେନ୍ଦ୍ରର କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ମହାନ୍ତି, ସମ୍ପାଦକ ଚିତ୍ତରଞ୍ଜନ ପରିଜାଙ୍କ ପୌରାହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ କମଳାକାନ୍ତ ପରିଜା, ତିଲକ କୁମାର ପରିଜା, ଭାଗୀରଥି ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ସୁରେନ୍ଦ୍ର କୁମାର ସାହୁ, ସାଧୁଚରଣ ମୁଦୁଲିଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।