ସମସ୍ୟା ଘେରରେ ମହ୍ଲାସାହି ସୁଭଦ୍ରା ମହତାବ ସରକାରୀ ଉପ୍ରା ବିଦ୍ୟାଳୟ

0 605


କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗବ୍ଳକ ଅନ୍ତର୍ଗତ ମହ୍ଲାସାହୀ ସ୍ଥିତ ସୁଭଦ୍ରା ମହତାବ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ପରିଚାଳିତ ହେଉଛି । ବହୁବିଦ୍ଧ ସମସ୍ୟା ସମ୍ପର୍କରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଲିଖିତଭାବେ ଅବଗତ କରାଯାଇଥିବା ଜଣାପଡ଼ିଛି । ତେବେ ତୁରନ୍ତ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ମାନେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।
ପ୍ରକାଶଯେ, ମହ୍ଲାସାହି ପଂଚାୟତର ସର୍ବପ୍ରାଚୀନ ବିଦ୍ୟାଳୟ ୧୯୪୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏବେ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବାନେଇ ବ୍ୟବସ୍ଥା ରହିଥିବାବେଳେ ଆବଶ୍ୟକୀୟ ଶିକ୍ଷକ ମାନଙ୍କର ଅଭାବ ରହିଛି । ଆଠଟି ଶ୍ରେଣୀ ପାଇଁ ମୋଟ ୫ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ବିଶ୍ୱମ୍ବର ସେଠୀ ବିଦ୍ୟାଳୟକୁ ନିୟମିତ ଭାବେ ଅସୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଶିକ୍ଷକ ଗତ ୬ ମାସ ହେବ ବିନା ଅନୁମତିରେ ଦୀର୍ଘଦିନ ହେବ ଅନୁପସ୍ଥିତ ରହୁଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସ୍ୱପ୍ନେଶ୍ୱର ପାଣୀ ଲିଖିତଭାବେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଅଷ୍ଟମ ଶ୍ରେଣୀ ଖୋଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଏଥିପାଇଁ ଆବଶ୍ୟକୀୟ ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ । ସେହିପରିଭାବେ ଏହି ଶ୍ରେଣୀପାଇଁ ଉଦ୍ଧିଷ୍ଟ ଘର ନିମ୍ନମାନର ନିର୍ମାଣ କରାଯାଇ ଥିବାରୁ ଏଥିରେ ବର୍ଷା ଦିନରେ ପାଣି ଗଳୁଛି । ଫଳରେ ଛାତ୍ରଛାତ୍ରୀ ମାନେ ଏହି ଗୃହରେ ଅଧ୍ୟୟନ କରି ପାରୁନାହାନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟର ପାଚେରୀ ନଥିବାରୁ ରାତ୍ରୀ ସମୟରେ ଅସାମାଜିକ ଯୁବକମାନେ ଏହାମଧ୍ୟରେ ଅବାଧରେ ପ୍ରବେଶ କରି ନାନାଦି ଆପତ୍ତି ଜନକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ବିଦ୍ୟାଳୟର ସମସ୍ତ ଗୃହ ଶତାଧୀକ ବର୍ଷର ପୂରୁଣା ହୋଇଥିବାରୁ ଏହା ଅତ୍ୟନ୍ତ ଜରାଜୀର୍ଣ୍ଣ ଏବଂ ବିପଦ ସଙ୍କୁଳ ହୋଇ ପଡ଼ିଛି । ଫଳରେ ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ବିପଜ୍ଜନକ ଭାବେ ଏହା ମଧ୍ୟରେ ଅଧ୍ୟୟନ କରିବାକୁ ବାଧ୍ୟ ହେଉଛନ୍ତି । ରୋଷେଇ ଘର କଥା ମଧ୍ୟ ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଛି । ଏହି ଘରର ଚର୍ତୁପାଶ୍ୱର୍ରୁ ସିମେଂଟ ପ୍ଲାଷ୍ଟର ଖସିପଡ଼ିବା ସହିତ ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇ ପଡ଼ିଛି । ବିଦ୍ୟାଳୟ ପରିସର ମଧରେ ପାନୀୟ ଜଳ ଉପଲବ୍ଧ ହେଉନଥିବାରୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି । ତେବେ ତୁରନ୍ତ ଉପରୋକ୍ତ ସମସ୍ୟାର ସମାଧାନ କରିବାକୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସଭାପତି ସ୍ୱପ୍ନେଶ୍ୱର ପାଣି, ଲକ୍ଷ୍ମୀପ୍ରିୟା ବାରିକ, ସ୍ୱର୍ଣ୍ଣଲତା ସ୍ୱାଇଁ, ଅରୁଣ ପାଣି, ସଞ୍ଜୁଳତା ସେଠୀ, ବିକ୍ରମ ପାଣି ଏବଂ ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ଲିଖିତଭାବେ ଅଭିଯୋଗ କରିଛନ୍ତି । ସମସ୍ୟା ସମ୍ପର୍କରେ ମଣ୍ଡଳ ଶିକ୍ଷାଅଧିକାରୀ ସୂଦର୍ଶନ ନନ୍ଦଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇଥିବା ବେଳେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

3 × 4 =