ଭୋକ

0 750

ଡ. ତୃପ୍ତି ରଞ୍ଜନ ଦାସ

ଦାନ ଆଉ କ୍ୟାମେରା” || ଭୋକ-୨

{ମହାମାରୀର କଥା, ଅସହାୟତାର ବିଜ୍ଞାପନ, ପ୍ରଚାର ଆଉ ଆତ୍ମପ୍ରଚାରର କଥା}
…………………………………………………………………………….

ମହାଭାରତ ସମୟରେ ଦୁଃଖ ଜର୍ଜରିତ ହୋଇ ନିଜ ଭିତରେ ସ୍ୱଯୁଦ୍ଧ କରୁଥିବା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ଅନ୍ତଃଦହନକୁ ଶାନ୍ତି କରିବା ପାଇଁ, ଯେତେବେଳେ ଭୀଷ୍ମଙ୍କ ସାରଥୀ ତଥା ପିତା ଅଧିରଥ ଦାନ କରିବାର ପରାମର୍ଶ ଦେଇଥିଲେ, ସେବେଠାରୁ ଦାନ (Joy of giving) ଏକ ଅସ୍ତ୍ର ଯିଏ ମନୁଷ୍ୟର ପାପର କଳସୀକୁ ଖାଲି କରିବା ସହ ଆତ୍ମଶାନ୍ତି ର ମାଧ୍ୟମହୁଏ ବୋଲି କୁହାଯାଇ ଅଛି । ନିଜ ପୁତ୍ର ଆଉ ପତ୍ନୀକୁ ରାଜା ହରିଶ୍ଚନ୍ଦ୍ର ଦାନ ଦେଇ, ସାରା ଜଗତକୁ ଦାନ ଚିର ସତ୍ୟ, ଜଳନ୍ତା ମରୁର ପଥ ଆଉ ବ୍ୟକ୍ତିତ୍ୱର ଚରମ ପରୀକ୍ଷା ବୋଲି ପ୍ରମାଣିତ କରିଛନ୍ତି । ଦାନ ହେଉଛି ସେହି ଶ୍ଳୋକ ଯାହା ଆପଣଙ୍କ ଅନ୍ତର ଭିତର ପ୍ରତିଟି ସ୍ନାୟୁତନ୍ତ୍ରକୁ ପବିତ୍ର କରାଏ । ଆପଣଙ୍କ ମନର ଗ୍ଲାନି, କ୍ଲାନ୍ତି, ହତାଶା କୁ ଦୂର କରାଏ । ସମ୍ପ୍ରତି ଦାନ ଓ ଦାନୀଙ୍କର ସଂଖ୍ୟା ବଢିଯାଇଛି ହେଲେ ସେ ଦାନ ପଛରେ କୀୟଦ ସ୍ୱାର୍ଥର ଆଭାସବି ଲୁଚି ରହୁଛି । ଅର୍ଥ ବଦଳି ଯାଇଛି ଦାନର। ଦାନୀ ଆଉ ଦାନ ସଂଖ୍ୟା ବଢିବା ସହ ଦାନ ପଛରେ ଥିବା ମହତ ଉଦ୍ଦେଶ୍ୟ କମି ଆସିଛି । ଦାନ କରିବାକୁ ଆସିବା ପୂର୍ବରୁ ମୋବାଇଲ ଚାର୍ଜ କରିବାକୁ ଭୁଲୁ ନାହାନ୍ତି କେହି । ପୂର୍ବ ସମୟରେ ଦାନ ଥିଲା ଆତ୍ମ ତୃପ୍ତି ଓ ଦାରିଦ୍ର୍ୟ ଦୂରୀକରଣର ମାଧ୍ୟମ । ହେଲେ ଆଜି କିଛି କ୍ଷେତ୍ରରେ ଏହା ପ୍ରହସନ ଆଉ ଗଦା ଗଦା ସେଲ୍ଫି ହେଇଯାଇଛି ।

ପଞ୍ଚାୟତରେ ଧନୀ କହିଲେ ସମସ୍ତେ ଜାଣନ୍ତି ଚୌଧୁରୀ ବିଶ୍ୱପ୍ରତାପ ସାମନ୍ତରାୟ ଙ୍କୁ । ଚୌଧୁରୀଙ୍କ ବୟସ ୭୮ ହେବ। ଜେଜେ ଇଂରେଜ ଯମାନାର ଜମିଦାର ଥିଲେ । ପରେ ଦେଶ ସ୍ୱାଧୀନ ହେବା ପରେ ଚୌଧୁରୀଙ୍କ ବାପା ପଞ୍ଚାୟତର ତିନି ଥର ସରପଞ୍ଚ ଥିଲେ ଆଉ ଚୌଧୁରୀ ନିଜେ ତିନି ତିନି ଥର ବିଧାୟକ ହୋଇଥିଲେ । ଦରଦୀ ହୃଦୟ ର ବ୍ୟକ୍ତି ସିଏ ଆଉ ସ୍ୱାଭିମାନ ର ଚଳନ୍ତି ପ୍ରତିମା । ବିଧାୟକ ଥିବା ସମୟରେ କାହାଠାରୁ ଟଙ୍କାଟିଏ ନେଇ ନାହାନ୍ତି କି ସରକାରୀ ଯୋଜନା ରେ ଆସୁଥିବା ଅର୍ଥ ଉପରେ ଲୋଭ ଦେଇ ନାହାନ୍ତି । ବରଂ ଲୋକଙ୍କୁ ଅଯାଚିତ ଦାନ ଦେଇଛନ୍ତି ଜୀବନ ସାରା । ଆତ୍ମ ପ୍ରଚାରକୁ ସେ ଦୂରରୁ ଘୃଣା କରନ୍ତି । ତେଣୁ ତାଙ୍କ ଦାନ ଧର୍ମ ବିଷୟରେ ଲୋକମାନେହିଁ ବଖାଣନ୍ତି । ଯାହାରସ ମନ ଯେଡ଼େ ତାହାର ପ୍ରଭୁ ସେଡେ। ସେ କେବେବି ପ୍ରଚାର କରନ୍ତି ନାହିଁ ନିଜର ଗାରିମା କୁ। ଚୌଧୁରୀଙ୍କ ଗୋଟିଏ ପୁଅ, ସିଏ ତା ସ୍ତ୍ରୀ ସହ ଆମେରିକା ରେ ରହେ ।

ମହାମାରୀ କରୋନା ପାଇଁ ଭାରତ ସରକାର ଯେତେବେଳେ ବିଦେଶରେ ରହୁଥିବା ଭାରତୀୟ ମାନଙ୍କୁ ଉଦ୍ଧାରକରି ଦେଶକୁ ଆଣିଲେ ତା ମଧ୍ୟରେ ଥିଲେ ଚୌଧୁରୀଙ୍କ ପୁଅ ଆଉ ବୋହୂ । ଚୌଧୁରୀ ସିନା ପୁଅ ବୋହୂଙ୍କୁ ଦେଖି ଖୁସି ହେଉଥିଲେ କିନ୍ତୁ ଲାଗୁଥିଲା ସେମାନେ ଯେମିତି ଗୋଟିଏ ଅଦୃଶ୍ୟ ଶକ୍ତି କୁ ଡରି ବାଧ୍ୟ ବାଧକତାରେ ଘରକୁ ଆସିଥିବା ପରି। ସରକାରଙ୍କ ଲକ ଡାଉନ ଘୋଷଣା ପରେ ଚାରି ଆଡେ ପଡିଗଲା ତାଟି କବାଟ । ଗରିବ ଗୁରୁବାଙ୍କ ପ୍ରଭୁ ହେଉଛନ୍ତି ଚୌଧୁରୀ । ସଙ୍ଗେ-ସଙ୍ଗେ ଘୋଷଣା କଲେ “କାଲି ସକାଳୁ ସବୁ ଆସିବ ଆମ ଘରକୁ , ଚାଉଳ ଆଉ ଡାଲି ଠାରୁ ଯାହାର ଯାହା ଦରକାର ଆସି ନେଇଯିବ ସମସ୍ତେ ଦଶଦିନ ପାଇଁ ” । ଦିନ ମଜୁରିଆ ଙ୍କ ଭିତରେ ଲକ ଡାଉନ କୁ ସାମ୍ନା କରିବାପାଇଁ ଗୋଟିଏ ଆଶାର କିରଣ ଦେଖା ଗଲା ସେ ହେଲେ ଚୌଧୁରୀ ।
ତା ପର ଦିନ ସକାଳୁ ସମସ୍ତେ ପହଞ୍ଚିଗଲେ ଚୌଧୁରୀଙ୍କ ଘରେ ଧାଡ଼ି କରି । ଚୌକିରେ ଚୌଧୁରୀ ବସିଥାନ୍ତି । ଚାକର ମକରା ଗୋଟିଏ ପରେ ଗୋଟିଏ ଲୋକଙ୍କ ଥଳିରେ ଚାଉଳ ଆଉ ଡାଲି ଅଜାଡୁ ଥାଏ। ଠିକ ଏତିକି ବେଳେ ଚୌଧୁରୀ ଦେଖନ୍ତି ଯେ ପାଖରେ ଛିଡା ହୋଇଥିବା ତାଙ୍କ ବୋହୂ ଭିଡିଓ କ୍ୟାମେରା ରେ ଏସବୁ ଶୁଟିଂ କରୁଛି ଆଉ ପୁଅ ବିଭିନ୍ନ ଦିଗରୁ ଭିଡିଓ ନେବା ପାଇଁ କହୁଛି । ଏହା ଦେଖି ଚୌଧୁରୀଙ୍କ ଆଖି ଲାଲ ହେବାକୁ ଲାଗିଲା, ବୋହୂକୁ କିଛି ନ ଲକହି ପାରି ରାଗ ରେ କମ୍ପିବାକୁ ଲାଗିଲେ ।ସେମିତି ଚୌକି ଉପରେ ବସିଥାନ୍ତି ଆଉ କ୍ରୋଧ ରେ ଏସବୁ ଦେଖୁଥାନ୍ତି । ସମ୍ନାରେ ଚାଉଳ ନେଉଥିବା ଲୋକମାନେବି ଜାଣି ସାରିଲେଣି ସେମାନଙ୍କ ଭିଡିଓ ହେଉଛି ବୋଲି । ଆତ୍ମ ସଙ୍କୋଚ, ଲଜ୍ୟାଆଉ ଅସହାୟ ପଣକୁ ଏଡେଇବା ପାଇଁ କିଏ ଗାମୁଛା କୁ ମୁଣ୍ଡରେ ବାନ୍ଧିଥାଏ ତ ଆଉ କିଏ ମୁହଁ ରେ ଦେଇଥାଏ । ଚୌଧୁରୀ ଦେଖିଲେ ତାଙ୍କ ଘରୁ ଆଗରୁ ଦାନ ନେଲା ବେଳେ ଯେମିତି ଲୋକଙ୍କ ମୁଖ ମଣ୍ଡଳ ଥାଏ,ସେଥିରେ ଆଜି ବିରାଟ ପରିବର୍ତ୍ତନ ଆସିଛି । ଏତିକି ବେଳେ ଚୌଧୁରୀଙ୍କ ବୋହୂ ମକରା ପାଖକୁ ଆସି କହିଲେ “ମକରା,,ଏଥର ମୁଁ ଲୋକଙ୍କୁ ଚାଉଳ ଦେବି…ଏଇ ତମେ ମୋର ଏଇ ପାଖରୁ ଫୋଟୋ ନିଅ” ସ୍ୱାମୀଙ୍କୁ କହିଲେ ।
-ଏଥର ଚୌଧୁରୀ ପୁରା ନିଆଁ ବାଣ । ଆଉ କିଏ ଅଟକେଇ ପାରିବ? ଚିଲେଇ ଉଠିଲେ ଚୌଧୁରୀ “କଅଣ ସବୁ ଚାଲିଛି,, ଏ କି ପ୍ରହସନ ହେଉଛି? ବନ୍ଦକର ଭିଡିଓ ଶୁଟିଂ ଆଉ ଫୋଟୋ ଉଠା…ଯାଅ ଏଠୁ”।
ଏତେ ଲୋକଙ୍କ ସାମ୍ନାରେ ଚୌଧୁରୀ ଗାଳି ଦେବାରୁ ବୋହୂକୁ ଭାରି ଖରାପ ଲାଗିଲା । ନିଜ ସ୍ତ୍ରୀ ର ବେଜିତ ଦେଖି ବାପାଙ୍କ ସହ ଯୁକ୍ତି କରିବାକୁ ଆରମ୍ଭ କରିଦେଲା ପୁଅ ଆଉ କହିଲା ” କଅଣ ହେଲା ଯଦି ସିଏ ଭିଡିଓ କଲେ, ତମେ ଯେଉଁ ଦାନ ଦେଉଚ ସବୁ ଆମ ପଇସାରେ । ଆମେରିକାରୁ ଯଦି ଡଲାର ନପଠାନ୍ତି ତେବେ ଏତେ କୋଉଠୁ ଦାନ କରନ୍ତ ତମେ”। ଚୌଧୁରୀ ଚୌକି ଉପରେ ବସିପଡିଲେ ପୁତ୍ର କଥା ଶୁଣି। ଇଙ୍ଗିତରେ ଦାନ ଚାଲୁ ରଖିବାକୁ କହିଲେ ଆଉ ଏକା ଲୟରେ ଫାଟକ ଆଡକୁ ସେମିତି ଚାହିଁରହିଲେ । ଚୌଧୁରୀଙ୍କ ପୁଅ ସେମିତି ଫୋଟୋ ଆଉ ଭିଡିଓ ନେଇ ଚାଲିଲା ପ୍ରତିଟି ବ୍ୟକ୍ତିଙ୍କର ।

-ଯଦି ଆପଣ କହିବେ ଫୋଟୋ କି ଭିଡିଓ ନକରାଯିବ, ତେବେ କେମିତି ସମାଜର ଲୋକ ଜାଣିବେ କି ଏବେବି ଦରିଦ୍ରତା ଅଛି ଏବଂ ସରକାରଙ୍କ ଦୃଷ୍ଟି ଗୋଚର ନିତ୍ୟାନ୍ତ ଆବଶ୍ୟକ । ନିଶ୍ଚିତ ଦରିଦ୍ର୍ୟ ବ୍ୟକ୍ତିକୁ ଠାବ କରି ସରକାରଙ୍କ ସମ୍ମୁଖ କୁ ଅଣାଯାଉ ଏବଂ ଆବଶ୍ୟକବି । କିନ୍ତୁ ଗୋଟିଏ ରୁଟି ଦେଇ ଆଉ ବ୍ୟକ୍ତି ସହ ୧୦ ଟି ଫୋଟୋ ନିଆଯିବା କେତେ ଦୂର ଆବଶ୍ୟକ? ଏହା ଆପଣ ବିଚାର କରନ୍ତୁ । ଏମିତି କିଛି ବ୍ୟକ୍ତି ଅଛନ୍ତି ଦେଇଥିବା ଦାନକୁ କ୍ୟାମେରା ସମ୍ମୁଖରେ ପ୍ରଦର୍ଶନ କରାଇବା ପାଇଁ ନିର୍ଦେଶ ଦିଅନ୍ତି ଦରିଦ୍ର ଲୋକ ଟିକୁ । ସାମାଜିକ ଗଣ ମାଧ୍ୟମ ରେ ଉକ୍ତ ବ୍ୟକ୍ତିର ଦୁଃଖ ଦୁର୍ଦ୍ଧସା କମ ଜୈନିକ ଦାନୀଙ୍କର ଆତ୍ମ ପ୍ରଚାର, ସମାଜ ପ୍ରତି ଅହେତୁକ ଆବେଗ ଏବଂ ଦାନ କରି ଚର୍ଚ୍ଚାରେ ରହିବାର ଲାଳସା ଉଙ୍କି ମାରୁଥାଏ । ଆମେ ସମସ୍ତେ ଜାଣିଛନ୍ତି ଏହି ଘଟଣା ଅପ୍ରିୟ ସତ୍ୟ।

        ସେଦିନ ସବୁଦିନ ପାଇଁ ଦୋହଲି ଯାଇଥିଲା ଚୌଧୁରୀଙ୍କ ଆଦର୍ଶ , ଖସି ପଡିଥିଲା ତାଙ୍କ କୀର୍ତ୍ତିର କୋଣାର୍କ । ଆଖି ଆଗରେ ସେଦିନ ଖରାଓବେଳରେ ଶୋଇବା ଘରେ ନଗ୍ନ ନୃତ୍ୟ କରିବାକୁ ଲାଗିଲେ ଚୌଧୁରୀଙ୍କ ଆତ୍ମା ମାନେ । ଧିକାର କରି କହିଲେ "ଛି..ଛି..ବିଶ୍ୱପ୍ରତାପ ତୁ ଶେଷରେ ଏଇଆ କଲୁ,, ତତେ ଟିକେ ଲାଜ ଲାଗୁନି ,ଆରେ ଭଗବାନ ତତେ କୋଉଥିରେ ଅଭାବ ରଖିଛନ୍ତି ,,ଯାହା ସବୁ ପାଇଛୁ ସେହି ଭଗବାନଙ୍କ ପାଇଁ । ବିଶ୍ୱାସ ହେଉନି ତୁ ଜୀବନର ଅପରାହ୍ନ ରେ ଏମିତି ବଦଳି ଯିବୁ ବୋଲି"। ଚୌଧୁରୀଙ୍କ ସମ୍ନାରେ ଭାସିଲା ସକାଳ ର ଘଟଣା ସବୁ,:_ଦାନ ପାଇଁ ଧାଡିରେ ଛିଡା ହେଇଥିବା ରିକ୍ସାବାଲା ବାବାଜୀ ଦରଦୀ କଣ୍ଠରେ କହୁଥିଲା "ଆଜ୍ଞା ଯାହା ଦଉଚ ଦିଅ ଧଅସି ଦିଅ" କହିକି ମୁହଁରେ ଗାମୁଛା ଘୋଡାଇ ପକାଉ ଥିଲା । ହରିଆ ସାମଲ ବୋହୂ ଓଢଣା ଟାଣି ପାଟିରେ ଲୁଗାଟିକୁ କାମୁଡି ଧରିଥିଲା କାଳେ ଓଢଣା ଖସି ଯିବ ବୋଲି । ମାଳି ର ଝିଅ ମିନା ଦାନ ନେଲା ବେଳେ ତା ଚୁଡ଼ିଦାର କୁ ସଜାଡୁଥିଲା ଚୁନିରିକୁ ସାଇଜ କରୁଥିଲା । ସବୁଠୁ କରୁଣ ଦୃଶ୍ୟ ଥିଲା ଯେତେବେଳେ ସାତ ବର୍ଷ ର ଛୁଆ ଟା ଖାଲି ପ୍ୟାଣ୍ଟ ଖଣ୍ଡେ ପିନ୍ଧି ଦାନ ନେଉଥିଲା । ଆଉ ଏକା ଲୟରେ କ୍ୟାମେରା କୁ ଚାହିଁଥିଲା ଚୌଧୁରୀଙ୍କ ପୁଅଙ୍କ ନିର୍ଦ୍ଧେଶରେ । ଚୌଧୁରୀଙ୍କ ବୋହୁ ତା ସହ ପାଖାପାଖି ୧୦ ଟା ଫୋଟୋ ଉଠେଇଥିଲା । ସମସ୍ତଙ୍କ ମୁହଁ ରେ ଏକ ଅପ୍ରସନ୍ନ ଭାବ ଥିଲା ପ୍ରଥମ ଥର ପାଇଁ ଚୌଧୁରୀଙ୍କ ଘରେ । କିନ୍ତୁ କେହି ଡରିକି କିଛି କହୁ ନଥିଲେ । ସବଠୁ ଦୁଃଖ ଆଉ ବିଦାରକ ଦୃଶ୍ୟ ଥିଲା ଯେବେ ଚୌଧୁରୀଙ୍କ ପୁଅ ସମସ୍ତଙ୍କୁ ଏକାଠି କରି ଗ୍ରୁପ ଫୋଟୋ ନେବା ପାଇଁ  କହିଥିଲେ । ଆତ୍ମା ଭିତରେ କୁଣ୍ଠା କୁ ସମସ୍ତେ ବଳି ଦେଇଥିଲେ ଭୋକର ବିଳାପ କୁ ମେଂଟେଇବା ପାଇଁ  ଦାନରେ ପାଇଥିବା ଦ୍ରବ୍ୟ କୁ କ୍ୟାମେରା କୁ ଦେଖେଇ ଛିଡା ହେଇଥିଲେ।
     ବନ୍ଧୁଗଣ ମୋର କହିବାର କଥା ଏହିକିଯେ ଦାନ ହେଉ ଏବଂ ହେବାଦରକାର। ଯେଉଁ ଦାନ ଟି ହେବ ତାର ଉଦ୍ଦେଶ୍ୟ ଦାରିଦ୍ର୍ୟ ଦୂରୀକରଣ କିମ୍ବା ଭୋକିଲା ପେଟରେ ପେଟପୁରା ଆହାର ଦେବାର ଲକ୍ଷରେ ହେଉ । ଦାନ କେବେ ଆତ୍ମ ପ୍ରଚାରର ଅସ୍ତ୍ର ନହେଉ । ଦେଖିବେ ଆପଣ ଯଦି ସଠିକ ମନ ଆଉ ପ୍ରାଣ ଦେଇ କର୍ତ୍ତବ୍ୟ କରିଥିବେ ଦୁଃଖୀ ରଙ୍କି ଙ୍କ ପ୍ରତି ତେବେ ଆପେ ଆପେ ଲୋକ ଲୋଚନକୁ ଆସିଯିବେ । ଆତ୍ମ ପ୍ରଚାର ପାଇଁ ଦାନ ଏକ ରୁଗ୍ଣ ମାନସିକତା । ଏ ମାନସିକତା କୁହେ "ଦରିଦ୍ର ରହିବା ଦରକାର" ଏବଂ ଏଇଆ ଚାହେଁ ଯେ ଦରିଦ୍ରତା ଯଦି ନରହିବ ତେବେ କେମିତି ଆମ ଦାନ ଲୋକ ଲୋଚନକୁ ଆସିବ? ବନ୍ଧୁଗଣ ଏ ମାନସିକତା ଠାରୁ ଦୁରେଇ ଦାନ କରନ୍ତୁ ଦେଖିବେ ହୃଦୟ ଭିତରେ ଏକ ଅପୂର୍ବ ଶାନ୍ତି ଭରିଯିବ । ସାମାଜିକ ଗଣ ମାଧ୍ୟମରେ ଫୋଟୋ ଛାଡି ଦାନ କଲେ ହୃଦୟ ର ଶାନ୍ତି ବଢେନି, ବ୍ୟକୁଳତା ବଢେ କି ଲୋକ ମୋ ବିଷୟରେ କଅଣ କଥା ହେଉଛନ୍ତି ଜାଣିବା ପାଇଁ । ନିଜ ନଜର ରେ ଆପଣ ଉପରକୁ ଉଠି ପାରନ୍ତି ନାହିଁ କାରଣ ଦାନର ପ୍ରକାଶ ଦାନର ମହତ୍ୱକୁ କମେଇ ଦେଇଥାଏ।  କିନ୍ତୁ ସର୍ବ ଜନର ମଙ୍ଗଳ ପାଇଁ ଦାନ ବିନା ଆତ୍ମପ୍ରଚାରରେ, ପ୍ରଥମେ ବ୍ୟକ୍ତିକୁ ନିଜ ନଜରରେ ଉଚ୍ଚ କରିଦେଇଥାଏ ଆଉ ତାପରେ ବ୍ୟକ୍ତି ଆପେ ଆପେ ଜନସମାଜ ରେ ପରିଚିତ ହୁଏ ।

ଦେଲା ଵାଲା ଦିଏ,,,ନେଲା ଵାଲା ନିଏ
ତୁମେ ଈଶ୍ୱରଙ୍କ ଦୂତ ବୋଲି ଅକାଳ ସମୟରେ ଦାନ କରି ପାରୁଛ.,, ହେଲେ ଭୌତିକ ସୁଖ ପାଇଁ, କାହା ଅସହାୟ ପଣକୁ ବିଜ୍ଞାପନ କରି ଫମ୍ପା ଆତ୍ମ ପ୍ରଚାର କଲେ ଈଶ୍ୱରଙ୍କ ଠାରୁ ଅନତି ଦୂରକୁ ଚାଲିଯିବାକୁ ହୁଏ। ଦାନ କରି ଫୋଟୋ ଉଠାଇବା ମାନସିକତାର ମୃତ୍ୟୁ ନିତ୍ୟାନ୍ତ ଆବଶ୍ୟକ ।

ବ୍ୟକ୍ତି ଗତ ଭାବେ ଗୋଟିଏ ଚାରିଟି ପ୍ରୋଗ୍ରାମରେ ମୁଁ ଯାଇଥିଲି । ସେଠି ଥିବା ମୁକ ବଧିର ପିଲା ମାନଙ୍କୁ ସ୍ବେଚ୍ଛାସେବୀ ବନ୍ଧୁମାନେ ଖାଇବାକୁ ଦେଇଥିଲେ । ସାଧୁବାଦ ତାଙ୍କ ନିଆରା ପ୍ରଚେଷ୍ଟାକୁ । କିନ୍ତୁ ଗୋଟିଏ ଘଟଣା ମତେ ଦୁଃଖିତ କରିଥିଲା ସେଠାରେ ଥିବା ମୁକ ବଧିର ପିଲାଙ୍କୁ, ଅନାଥ ବୋଲି ସାମାଜିକ ଗଣ ମାଧ୍ୟମରେ ଜଣେ ସ୍ବେଚ୍ଛାସେବୀ ଲେଖିଥିଲେ । ଆଉ ତାସହିତ ନିଜର ଆତ୍ମ ଗାରିମାକୁ ଲେଖି ଚାଲିଥିଲେ । ସେ ପୋଷ୍ଟ ପଢିବା ପରେ ମୋର ମନେ ପଡୁଥିଲା ସେଠି ଥିବା ତିନୋଟି ପିଲାଙ୍କ କଥା । ଜଣେ ପିଲା ଯିଏ ସ୍ବେଚ୍ଛାସେବୀଙ୍କ କାମ କୁ ଦେଖୁଥିଲା ଦୂରରେ ବସି ଏକା ଲୟରେ । ଆଉ ଜଣେ ପିଲା ଯାହା ହାତରେ ଚକୋଲଟେ ଦେବା ପରେ ସେ ଖୁସିରେ ନେଇ ଦୌଡିଯିବା ସମୟରେ ତାକୁ ଟାଣି ରଖି ଜବରଦସ୍ତି ସେଲ୍ଫି ନବାବେଳେ ତାର ଚେହରା । ଏବଂ ଆଉ ଗୋଟିଏ ପିଲା ଯିଏ, ସମସ୍ତେ ସେ ସ୍ଥାନରୁ ଫେରି ଆସିବା ପରେ, ହତାର ଫାଟକରେ ଓହଳି ବାହାରକୁ ଚାହିଁ ରହିଥିଲା ଏକ କରୁଣ ଚାହାଣୀରେ ।


ଡିହସାହି, କାଦୁଅପଡା, ଜଗତସିଂହପୁର

Leave A Reply

Your email address will not be published.

five × four =