ବାତ୍ୟା ଓ ଓଡିଶା

0 651

ଶ୍ରୁତକୀର୍ତ୍ତି ତ୍ରିପାଠୀ

ବାତ୍ୟା ଏକ ପ୍ରାକୃତିକ ବିପର୍ଯ୍ୟୟ, ଯାହା ସର୍ବଦା ମାନବୀୟ ନିୟନ୍ତ୍ରଣ ଶକ୍ତି ବାହାରେ l ଏହାକୁ ଦୈବୀ ଦୁର୍ବିପାକ କୁହାଯାଇପାରେ, କାରଣ ଏହା ମନୁଷ୍ୟକୃତ ନୁହେଁ l ଯଦିଓ ଆକସ୍ମିକ ଏବଂ ଶକ୍ତିଶାଳୀ ବାତ୍ୟା କୁ ସାମନା କରିବାକୁ ଆମେ ପୃଥିବୀବାସୀ ବାଧ୍ୟ, ଏହା ସହିତ ଚଳିବା ପାଇଁ ଧୀରେ ଧୀରେ ସମସ୍ତେ ପ୍ରସ୍ତୁତ ହଉଛେ l ଓଡ଼ିଶାରେ ବାତ୍ୟାର ପ୍ରଭାବ ଏବଂ ତଦଜନିତ କ୍ଷୟକ୍ଷତିର ଧାରାବାହିକତା ବିଗତ କିଛି ଦଶନ୍ଧି ହେଲା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି l

ଗତ ୧o୫ ବର୍ଷ ଭିତରେ ଓଡିଶା ୯୫ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହେବାର ତଥ୍ୟ ରହିଥିବା ବେଳେ ୫o ବର୍ଷ ବନ୍ୟା, ୩୨ ବର୍ଷ ମରୁଡି ଏବଂ ୧୧ ବର୍ଷ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି l ୧୮୯୧ ରୁ ୧୯୭o ଭିତରେ ଛୋଟ ବଡ଼ ୯୫୨ ଟି ବାତ୍ୟା ଏବଂ ୪୫୧ ଟି ଘୁର୍ଣ୍ଣିବାତ୍ୟା ଓଡ଼ିଶା ଦେଇ ଗତି କରିଛି l ୧୯o୧ ରୁ ୧୯୮୧ ମଧ୍ୟରେ ହୋଇଥିବା ୩୮o ବାତ୍ୟା ମଧ୍ୟରୁ କେବଳ ୨୭୨ ଟି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବୋଲି ଗଣନା କରାଯାଇଛି l ଏହା ମଧ୍ୟରୁ ୨୯ ଟି ବାତ୍ୟା ଅତ୍ୟନ୍ତ ଭୟଙ୍କର ଓ ଧ୍ବଂସକାରୀ ଥିଲା l ୧୯୬୩ ରୁ ୧୯୯୧ ଭିତରେ ଓଡ଼ିଶାରେ ୧୩ ଟି ବଡ଼ ଧରଣର ବାତ୍ୟା ଅନୁଭୂତ ହୋଇଛି, ଯାହାଦ୍ୱାରା ୨୨, ୨୨୮ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ୩୪ ଲକ୍ଷ ଲୋକଙ୍କ ଘରଦ୍ୱାର ନଷ୍ଟ ହୋଇଛି l ୨o୧୯ ରେ ବାତ୍ୟା ଫନି ଦ୍ୱାରା ଓଡ଼ିଶାର ୯ooo କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଓଡିଶାବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି l ଏଥିରେ ୨o,୩୬୭ ଟି ଗାଁ ଭାସିଯିବା ସହିତ ୧. ୬ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଥିବା ଆକଳନ ହୋଉଛି l ସମୟକ୍ରମେ ବାତ୍ୟାର ବର୍ଦ୍ଧିତ ସଂଖ୍ୟା ପଛରେ ମୂଳ କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ସମୁଦ୍ରଜଳର ତାପମାତ୍ରା ବୃଦ୍ଧି l ବାତ୍ୟା ଦ୍ୱାରା ଓଡ଼ିଶାର ଉପକୂଳ ଅଞ୍ଚଳ ଗୁଡ଼ିକ ବେଶି ପ୍ରଭାବିତ ହୋଇଥାନ୍ତି l

ଓଡ଼ିଶାରେ ବାତ୍ୟାର ଆଧିକ୍ୟର ମୁଖ୍ୟ କାରଣ ଏହାର ଭୌଗୋଳିକ ଅବସ୍ଥତି l ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ସେହି ବକ୍ର ଭାଗରେ ରହିଛି, ଯେଉଁଠି ଝଡ଼ ଓ ବାତ୍ୟାର ସମ୍ଭାବନା ଅଧିକ l ଏହା ବ୍ୟତୀତ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟାକୁ ରୋକିବା ପାଇଁ କୌଣସି ବିଶାଳ ଭୂଖଣ୍ଡ ନ ଥିବାରୁ ଏହା ବଙ୍ଗୋପ ସାଗର ଆଡକୁ ମୁହାଁଇଥାଏ l ତେଣୁ ଓଡିଶାରେ ବର୍ଷସାରା ବାତ୍ୟା ଆତଜାତ ହେବାରେ କୌଣସି କଟକଣା ନାହିଁ l ୧୯୯୯ ର ପ୍ରଳୟଙ୍କାରୀ ବାତ୍ୟା ପରେ ଓଡ଼ିଶାରେ ବିରାଟ ପରିବର୍ତ୍ତନ ଦେଖାଯାଇଥିଲା l ବିଗତ କିଛି ଦଶନ୍ଧି ହେଲାଣି ଓଡ଼ିଶାର ବାତ୍ୟା ସଂଖ୍ୟା ଆହୁରି ଅଧିକ ବଢ଼ିବାରେ ଲାଗିଛି, ଯାହା ପରିବର୍ତ୍ତନଶୀଳ ଜଳବାୟୁର ଏକ ପ୍ରତିକ୍ରିୟା କହିଲେ ଠିକ ହବ l

ସମୁଦ୍ର ଜଳପତ୍ତନରେ ୧ ମିଟରର ବୃଦ୍ଧି ୧, ୭o, ooo ହେକ୍ଟର ଚାଷଜମିକୁ ଜଳମଗ୍ନ କରିବାର କ୍ଷମତା ରଖେ ବୋଲି ପରିବେଶବିତ ମାନେ ମତ ରଖିଛନ୍ତି l ସୁତରାଂ ବାତ୍ୟାଜନିତ ବର୍ଷା ଓଡ଼ିଶାର କୃଷିକୁ ହାନି ପହଞ୍ଚେଇବା ସହିତ ଚାଷୀମାନଙ୍କୁ ହଇରାଣରେ ପକାଉଛି l କୃଷିବହୁଳ ରାଜ୍ୟ ଓଡ଼ିଶାର ଶସ୍ୟକ୍ଷେତ ସବୁ ଜଳାର୍ଣ୍ଣବ ହୋଇ ଫସଲ ନଷ୍ଟ ହେଉଛି l ପରବର୍ତ୍ତୀ ସମୟରେ ଏହା ସମଗ୍ର ରାଜ୍ୟରେ ଖାଦ୍ୟଶସ୍ୟର ଅଭାବ ଓ ଦରଦାମ ବୃଦ୍ଧିର କାରଣ ସାଜୁଛି l

ଏହି ସବୁ ଅସୁବିଧା ଗୁଡିକୁ ଆଖି ଆଗରେ ରଖି ଓଡିଶା ସରକାର ବାତ୍ୟା ଓ ବନ୍ୟା ସମୟରେ ଲୋକଙ୍କର ଥଇଥାନ, ବାତ୍ୟାଜନିତ କ୍ଷୟକ୍ଷତିକୁ ଭରଣା ପାଇଁ ଲୋକଙ୍କୁ ଆର୍ଥିକ ସାହାଯ୍ୟ, କୃଷି ବୀମା ଏବଂ ଜରୁରୀ ଜିନିଷ ଯୋଗେଇବାର ପ୍ରୟାସ ଜାରି ରଖିଛନ୍ତି l ଗତ କିଛି ଦଶନ୍ଧିର ଅନୁଭୂତି ଆମକୁ ବାତ୍ୟା ପୂର୍ବରୁ ସତର୍କ ଏବଂ ନିରାପଦ ସ୍ଥାନକୁ ଲୋକଙ୍କ ସ୍ଥନାନ୍ତରଣ କରିବା ଦିଗରେ ଭାବିବାକୁ ସୁଯୋଗ ଦେଇଛି l ଏହାକୁ ସରକାର ସଠିକ ରୂପେ ରୂପାନ୍ତରଣ କରି ଲୋକଙ୍କ ମୂଲ୍ୟବାନ ଜୀବନ ସବୁ ବଞ୍ଚେଇବାରେ ସକ୍ଷମ ହୋଇଛନ୍ତି l ପରିବେଶବିତ ମାନଙ୍କ ପୂର୍ବାନୁମାନ ଅନୁଯାୟୀ ସମୟ ପୂର୍ବରୁ ପ୍ରସ୍ତୁତ ରହି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡ଼ିକ ସହିତ ଯୋଗାଯୋଗ ରଖି ବହୁଲୋକଙ୍କ ଧନଜୀବନ ରକ୍ଷା କରାଯାଇ ପାରୁଛି l

ବର୍ଷକୁ ଏକାଧିକ ଥର ବାତ୍ୟା ପ୍ରକୋପ ଦ୍ୱାରା ଓଡ଼ିଶାବାସୀ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି l କହିବା ବାହୁଲ୍ୟ ବାତ୍ୟା ଜନିତ କ୍ଷୟକ୍ଷତି ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ଚାପ ପକାଏ l ଖାଦ୍ୟ, ବାସସ୍ଥାନ, ରୋଜଗାର ଜନିତ ଅଭାବ ଯୋଗୁଁ ସେମାନେ ବାରମ୍ବାର ଭାରସାମ୍ୟ ହରାଇ ବସନ୍ତି l ଏହାର ସୁଯୋଗ ନିଅନ୍ତି କଳାବଜାରୀ ମାନେ l ପୂର୍ବରୁ ସଂରକ୍ଷିତ ରଖିଥିବା ଖାଦ୍ୟ ଏବଂ ଜରୁରୀ ସାମଗ୍ରୀକୁ ଚଢ଼ା ଦରରେ ବିକ୍ରିକରି ନିଜେ ଅଧିକା ରୋଜଗାରର ପନ୍ଥାଟିଏ ବାଛିନିଅନ୍ତି ସେମାନେ l ଏହି ସମୟରେ ବେପାରୀମାନେ ଆବଶ୍ୟକତାରୁ ଅଧିକ ଦାମରେ ଜିନିଷ ବିକ୍ରି କରନ୍ତି ଏବଂ ସମସ୍ତେ ଏହାକୁ କିଣିବାକୁ ବାଧ୍ୟ ହୁଅନ୍ତି l

ଏବେ ବାତ୍ୟା ଆସିବା ବହୁ ଦିନ ଆଗରୁ ଗଣମାଧ୍ୟମ ଲୋକଙ୍କୁ ଓ ସରକାରଙ୍କୁ ସତର୍କ କରିଦେଉଛି l ଆନୁମାନିକ ସମୟ ଭିତରେ ସରକାର ଲୋକଙ୍କ ସ୍ଥାନାନ୍ତରଣ ଏବଂ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାର ସୂଚନା ଆଗୁଆ ଦେଉଛନ୍ତି l ଫଳରେ ଲୋକ ସଚେତନ ରହୁଛନ୍ତି ଏବଂ ବେଶି କ୍ଷୟକ୍ଷତି କିମ୍ବା ଜୀବନ ହାନି ଘଟୁନାହିଁ l ସମୟ ପୂର୍ବରୁ ପ୍ରସ୍ତୁତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରେ ଏହାର ସଠିକ ପରିଚାଳନା ଓଡ଼ିଶାରେ ବାତ୍ୟାର ପ୍ରଭାବ କୁ ଦୁର୍ବଳ କରିବାରେ ସହାୟକ ହୋଇଛି l

ମାତ୍ର ଶେଷରେ ଗୋଟିଏ କଥା, ଯାହା ଆମେ କରିପାରିଲେ ବାତ୍ୟାର ପ୍ରଭାବ କୁ ହ୍ରାସ କରାଯାଇପାରିବ ତାହା ହଉଛି ବୃକ୍ଷରୋପଣ ଦ୍ୱାରା ଜଙ୍ଗଲ ସୃଷ୍ଟି କରିବା l ବାତ୍ୟା କୁ ନିୟନ୍ତ୍ରଣ କରିବାରେ ଜଙ୍ଗଲର ଅବଦାନ ବିଷୟରେ ସମସ୍ତେ ଅବଗତ l ତେଣୁ ଦ୍ରୁତଗତିରେ ହେଉଥିବା ଜଳବାୟୁ ପରିବର୍ତ୍ତନର ହାରକୁ କେବଳ ଗଛ ଲଗାଇ ରୋକାଇଯାଇପାରିବ l ଏତେ ସବୁ ଅସୁବିଧାର ଗୋଟିଏ ସରଳ ସମାଧାନ, ‘ ଅଧିକରୁ ଅଧିକ ବୃକ୍ଷରୋପଣ ‘l ଏପରି କରିବା ଦ୍ୱାରା ପରିବେଶ ସୁସ୍ଥ ରହିବ, ଜଳବାୟୁ ରେ କ୍ରମେ ସ୍ୱଚ୍ଚତା ଆସିବ l ଯାହା ସମୁଦ୍ରଜଳରେ ଉତ୍ତାପ କୁ ନିୟନ୍ତ୍ରଣ ରଖିବ ଏବଂ ବାତ୍ୟାର କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ଧୀରେ ଧୀରେ ହ୍ରାସ କରିବ l ଓଡ଼ିଶା ରେ ବାତ୍ୟା କୁଣିଆ ଭଳି ବର୍ଷକୁ ଅନେକ ଥର ନିଜର ଆଧିପତ୍ୟ ବିସ୍ତାର କରିଚାଲିଛି, ଏଣୁ ଏହାକୁ ରୋକିବା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସମସ୍ତଙ୍କ ମିଳିତ ଉଦ୍ୟମ ଏକାନ୍ତ ପ୍ରୟୋଜନୀୟ l

ଫୋନ – 6370516478
ଭୁବନେଶ୍ୱର

Leave A Reply

Your email address will not be published.

2 × 5 =