ଭଗ୍ନ ପରିବାର ଓ ବଞ୍ଚିତ ଶୈଶବ

0 613

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸

ପ୍ରତ୍ୟେକ ମଣିଷ ତା ପରିବାର ର ଏକ ଅଂଶ l ପରିବାର ମଧ୍ୟରେ ରହି ପରିବାର ସଦସ୍ୟ ଙ୍କ ଗହଣରେ ସେ ସୁରକ୍ଷିତ ଏବଂ ସ୍ନେହପୂର୍ଣ୍ଣ ପରିବେଶ ପାଇଥାଏ l ଦୁଃଖ ହେଉ ବା ସୁଖ ସବୁର ମହନୀୟତା ଅନୁଭବ କରିହୁଏ କେବଳ ପରିବାର ଗହଣରେ l ଏକୁଟିଆ ରହୁଥିବା ବ୍ୟକ୍ତି ଟିଏ ହିଁ ଅନୁଭବି ପାରେ ପରିବାର ନ ଥିବାର ଅଭାବ l ସେଥିପାଇଁ ତ ଇଂରାଜୀରେ ଗୋଟିଏ ବାକ୍ୟ ଅଛି :- ” A family is not only an important thing, it is everything. ”

ଭାରତରେ ପରିବାରର ଅର୍ଥ ବ୍ୟାପକ l ପ୍ରତି ଟି ସମ୍ପର୍କ ଏହାର ଜଣେ ଜଣେ ସଭ୍ୟ l ଧାର୍ମିକ ଅନୁଷ୍ଠାନ , ସାମାଜିକ କର୍ମ, ବିପଦ-ଆପଦ, ଦୁଃଖ – ସୁଖ, ଉତ୍ସବ, ପୂଜା-ପାର୍ବଣ ଆଦିରେ ସମଗ୍ର ପରିବାର ଏକାଠି ହେବା ଦ୍ୱାରା ସମ୍ପର୍କ ଦୃଢ଼ ଓ ଅତୁଟ ହୁଏ l ଗୋଟିଏ ପରିବାରରେ ଛୋଟ ବଡ଼ ସମସ୍ତେ ପାରିବାରିକ ନିଷ୍ପତ୍ତିରେ ଭାଗ ନିଅନ୍ତି l ସମସ୍ତଙ୍କ ସମ୍ମତି ନେଇ ଯେ କୌଣସି କାର୍ଯ୍ୟ କରାଯାଏ l ଉଭୟ ବରିଷ୍ଠ ଏବଂ କନିଷ୍ଠ ମାନଙ୍କ ମତକୁ ସମ୍ମାନ ଦେଇ ବିଚାର କରାଯାଏ l ଯୁକ୍ତିତର୍କ, ମତାନ୍ତର, ମନାନ୍ତର ସତ୍ତ୍ୱେ ଆଲୋଚନା ଓ ବୁଝାମଣା କରାଯାଇ ସମସ୍ୟାର ସମାଧାନର ବାଟ ଖୋଜାଯାଏ l ସମସ୍ତଙ୍କ ମିଳିତ ସହଯୋଗରେ ପରିବାରର ପ୍ରତିଟି ସଦସ୍ୟଙ୍କ ଉନ୍ନତି ପାଇଁ ନାନା ପଦକ୍ଷେପ ନିଆଯାଏ l ଦୁର୍ବଳ ସଦସ୍ୟଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଏ, ଏହାହିଁ ପରିବାରର ବିଶେଷତ୍ୱ l ଜୀବନରେ ସଠିକ ରାସ୍ତା ବାଛିନେବା ପାଇଁ ନୈତିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଶକ୍ତି ପରିବାର ଠାରୁ ହିଁ ମିଳେ l

ହେଲେ ଏବେ ଏସବୁରେ ଦେଖାଯାଉଛି ଘୋର ପରିବର୍ତ୍ତନ l ବର୍ତ୍ତମାନ ମାନବ ଜାତି ଏକୁଟିଆ ରହିବାକୁ ଇଛା କରୁଛି l ଯୁଗ୍ମ ପରିବାରରେ ମିଳିମିଶି ରହିବା ତାକୁ ବୋଝ ଭଳି ମନେହଉଛି l ପରିବାର ହେଉଛି ସମାଜର ଏକ ମୁଖ୍ୟ ଏବଂ ମୌଳିକ ଅଂଶ l ଛୋଟ ହେଉ କିମ୍ବା ବଡ଼ ପରିବାର ସହିତ ମିଶି ରହିବା, ପ୍ରତି ଟି ବ୍ୟକ୍ତିର ଦକ୍ଷତା, ଶକ୍ତି ଏବଂ ଆତ୍ମବିଶ୍ୱାସ କୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ l ପ୍ରତି ପରିବାର ର ଗୁରୁତ୍ୱ ତା’ ସଦସ୍ୟ ପାଇଁ ଭିନ୍ନ l ଆର୍ଥିକ, ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ସୁରକ୍ଷା ଓ ସାହାଯ୍ୟ ପରିବାର ସଦସ୍ୟଙ୍କ ମନୋବଳ କୁ ଦୃଢ଼ କରିବା ସହିତ ସେମାନଙ୍କୁ ଆକସ୍ମିକ ବିପଦ, ମାନସିକ ଅଶାନ୍ତି ଏବଂ ଦୁଶ୍ଚିନ୍ତା ରୁ ମୁକ୍ତ କରିଥାଏ l ସୁଖ ସମୟରେ ; ଯେପରିକି ପର୍ବପର୍ବାଣୀ, ବାହାଘର, ବ୍ରତଘର, ପୂଜା ଆଦି ସାମାଜିକ କାର୍ଯ୍ୟରେ ପରିବାର ସଦସ୍ୟ ଙ୍କ ଯୋଗଦାନ ଖୁସିକୁ ଦ୍ବିଗୁଣିତ କରିଦିଏ l ଠିକ ସେହିପରି ବିପତ୍ତି ସମୟରେ ପରିବାର ଯୋଗୁଁ ଦୁଃଖର ଭାର ଲାଘବ ହୁଏ l

ଯୌଥ ପରିବାର ହେଉଛି ଆମ ଭାରତୀୟ ସଂସ୍କୃତି l ଧୀରେ ଧୀରେ ଏହି ପରମ୍ପରା ର ଅଧୋଗତି ଦେଖାଯାଉଛି l ଗୋଟିଏ ପରିବାରର ଦୁଇଟି ଭାଇ ବି ମିଳିମିଶି ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି l କାରଣ ମିଳିମିଶି ରହିଲେ ସେମାନଙ୍କୁ ଦାୟିତ୍ୱ ନେଇ ସବୁ କାମ କରିବାକୁ ହେଉଛି l ବେଳେବେଳେ ମନ ନ ମିଶିଲେ ଘରେ କଳି, ଝଗଡା, ପାଟିତୁଣ୍ଡ ହୁଏ, ଯାହାକୁ ପରିବାରର ବୟୋଜ୍ୟେଷ୍ଠ ମାନେ ଆପୋଷ ସମାଧାନ କରିଦିଅନ୍ତି, କିନ୍ତୁ ଏବେ ପରିବାର ଗୁଡିକରେ ବୟସ୍କ ଲୋକଙ୍କର ଅନୁପସ୍ଥିତି ଘରୋଇ କଳି କୁ ପ୍ରଥମେ ଦାଣ୍ଡରେ ଏବଂ ଆଗକୁ ଯାଇ ଥାନା, କୋର୍ଟ, କଚେରୀ ପର୍ଯ୍ୟନ୍ତ କଥା ଯାଉଛି l ଜମିବାଡ଼ି, ସମ୍ପତ୍ତି ପାଇଁ ସମ୍ପର୍କୀୟଙ୍କ ଭିତରେ ହଣା କଟା ବି ଏବେ ଅନାୟାସରେ ହେଉଛି l ପରସ୍ପର ମନ ନ ମିଶିବା ଦ୍ୱାରା ମତ ପାର୍ଥକ୍ୟ ରହୁଛି ଏବଂ ଘଟି ଯାଉଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସବୁ l

ହେଲେ ଏହାର ପ୍ରଭାବ ପରିବାର ଭିତରେ ବଢୁଥିବା ପିଲାଙ୍କ ଉପରେ କଣ ପଡେ, ତାହା ବୟସ୍କ ମାନେ କେବେ ବୁଝିବାକୁ ଚେଷ୍ଟା କରିଛନ୍ତି କି ? ଶିଶୁମାନେ ଯେଭଳି ବ୍ୟବହାର ପରିବାରର ସଦସ୍ୟଙ୍କ ଭିତରେ ଦେଖନ୍ତି, ପରବର୍ତ୍ତୀ ସମୟରେ ସେଇଠୁ ହିଁ ଶିଖନ୍ତି l ସେହି ସଂସ୍କାର ଓ ଶିକ୍ଷା ତାଙ୍କ ଭିତରେ ଘର କରିଯାଏ l ପରିବାରର କେହି କିଛି ଭୁଲ କଲେ ତାକୁ କ୍ଷମା ଦେବା, ଭୁଲ ରାସ୍ତାରୁ ବୁଝେଇ ଶୁଝେଇ ତାକୁ ଠିକ ବାଟକୁ ଆଣିବା, ଅସୁସ୍ଥ ଥିଲେ ସେବା ଯତ୍ନ କରି ତାକୁ ଠିକ କରିବା, କୌଣସି ବିପଦ ପଡିଲେ ତାର ସମାଧାନର ବାଟ କାଢ଼ିବା ଆଦି ପିଲା ଘରେ ଆଖି ଆଗରେ ଘଟୁଥିବାର ଦେଖିଲେ ହିଁ ଶିଖିଵ l ପରିବାରରେ ମିଳିମିଶି ରହିଲେ ଜଣକ ଅନୁପସ୍ଥିତିରେ ଅନ୍ୟମାନେ ତାର ଅଭାବ ଅନୁଭବ କରିବେ ନାହିଁ l ଆଜିକାଲି ବାପା,ମାଆ ଓ ପିଲା ରହୁଥିବା ଘରେ ବାପା ମାଆ କାମ କୁ ଗଲା ପରେ ଶିଶୁମାନେ ଏକୁଟିଆ ହୋଇଯାଉଛନ୍ତି l ସେମାନଙ୍କ ଶୈଶବ ଜେଜେ ଜେଜେମା ସହିତ ନୁହେଁ ବରଂ କେୟାରଟେକର ଙ୍କ ଗହଣରେ ବା କ୍ରେଜ଼ ରେ ଅତିବାହିତ ହଉଛି l ଜେଜେଙ୍କ ସହିତ ଖେଳ, ଜେଜମା ଙ୍କ ଗପ ଚାଙ୍ଗୁଡ଼ିରୁ ଗପ, ପିଇସୀ ନାନୀ, କାକା ଙ୍କ ସହ ଥଟ୍ଟା ମଜା ଏବେକାର ପିଲାଙ୍କ ପାଇଁ ସ୍ବପ୍ନ ହୋଇଯାଇଛି l ପରିବାରର ଅଭାବ ଶିଶୁ ମାନଙ୍କ ଠାରୁ ତାଙ୍କର ନିରୀହ ଶୈଶବକୁ ଛଡେଇ ନେଉଛି l ସେମାନେ ବଡ଼ ମାନଙ୍କ ଆଦର, ଯତ୍ନ,ସ୍ନେହ, ଆକଟ, ବାରଣ ଠାରୁ ବଞ୍ଚିତ ହେଉଛନ୍ତି l ପରିଣାମ ସ୍ୱରୂପ ସେମାନଙ୍କ ବ୍ୟବହାର ଓ ସ୍ଵଭାଵ ରୁକ୍ଷ,ଉତଶୃଙ୍ଖଳ,ଅମାନିଆ ଓ ବେଖାତିର ହୋଇଯାଉଛି l ଯାହା ଭବିଷ୍ୟତରେ ପିଲାଙ୍କୁ କୁସଙ୍ଗ ଏବଂ ଖରାପ ବାଟରେ ଯିବାପାଇଁ ଉତ୍ସାହିତ କରୁଛି l କେତେସ୍ଥଳରେ ପିଲାମାନେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟେଇବାକୁ ସୁଦ୍ଧା ପଛାଉ ନାହାନ୍ତି l ପ୍ରାଥମିକ ସ୍ତରରେ ଯଦି ସଠିକ ଶିକ୍ଷା ଓ ସଂସ୍କାର ନ ମିଳେ ଶିଶୁମାନେ ବାଟ ହୁଡ଼ିଯିବାରେ ଭୁଲ ବା ରହିଲା କେଉଁଠି ? ଏଣୁ ଶିଶୁମାନଙ୍କୁ ପରିବାର ଭିତରେ ରହିବାର ସୁଯୋଗ ପିତାମାତାଙ୍କର କେବଳ ଦାୟିତ୍ୱ ନୁହେଁ କର୍ତ୍ତବ୍ୟ ମଧ୍ୟ l ସେମାନଙ୍କୁ ଏ ସୁଯୋଗରୁ ବଞ୍ଚିତ କରିବା ଅର୍ଥ ନିଜ ଗୋଡ଼ରେ ନିଜେ କୁଠାରାଘାତ କରିବା l

ସମୟ ଯେତେ ଖରାପ ହେଉ ନା କାହିଁକି, ଜୀବନରେ ଯେତେ କ୍ଷତି ଘଟିଗଲେ ସୁଦ୍ଧା ପୁରା ପରିବାର ଯେ ତାଙ୍କ ସାଙ୍ଗରେ ଅଛି ; ସମସ୍ତେ ମିଳିମିଶି ଏ ସବୁ ଠାରୁ ବାହାରିଯିବେ ଏହି ଉତ୍ସାହ ଏବଂ ସମର୍ଥନ ପରିବାର ପକ୍ଷରୁ ମିଳେ l ଏଭଳି ଅସମୟରେ ଏକାଠି ରହିବା ଦ୍ୱାରା ପାରିବାରିକ ବନ୍ଧନ ଅଧିକ ରୁ ଅଧିକ ମଧୁର ହେବା ସହିତ ଅନେକ ନକାରାତ୍ମକ ପ୍ରଭାବ ରୁ ନିସ୍ତାର ମିଳୁଛି l ସତ କହିବାକୁ ଗଲେ ପରିବାର କଥାବାର୍ତ୍ତାର ସୁଯୋଗ ସୃଷ୍ଟି କରେ l ନିଜ ଲୋକ ସହିତ କଥା ହୋଇଗଲେ, ବହୁ ମାନସିକ ଯନ୍ତ୍ରଣା ଦୂର ହୋଇଯାଏ l ଛୋଟ ପିଲାଙ୍କୁ ଘରେ ରଖିବା, ବୟସ୍କ ମାନଙ୍କର ସେବା କରିବା, ଯୁବଗୋଷ୍ଠୀଙ୍କୁ ମାନସିକ ଭାବରେ ପରିସ୍ଥିତିରେ ସହିତ ଲଢ଼ିବା ଶିଖେଇବା ଦିଗରେ ପରିବାର ର ଦାୟିତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ l

ପିଲାମାନଙ୍କର ଶିକ୍ଷାର ଆରମ୍ଭ ସର୍ବ ପ୍ରଥମେ ପରିବାର ଠାରୁ ହିଁ ଆରମ୍ଭ ହୁଏ l ପୁସ୍ତକଗତ ଶିକ୍ଷା କୁ ବାଦ୍ ଦେଇ ଜୀବନରେ ଆବଶ୍ୟକ ହଉଥିବା ନୈତିକ ଶିକ୍ଷା, ବ୍ୟବହାର, ସଂସ୍କାର, ମାନବିକତା ଧର୍ମ ସବୁ ପରିବାର ସଦସ୍ୟଙ୍କ ଠାରୁ ମିଳେ l ତେଣୁ ପରିବାର ମଧ୍ୟରେ ବଢୁଥିବା ପିଲାର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ହୁଏ l କେବେ ଯଦି ସେ ଦୁଃଖ, ଚିନ୍ତା ଏବଂ ଅସୁରକ୍ଷିତ ମନେ କଲେ ତା ସାଙ୍ଗରେ ତା ପରିବାର ଛିଡାହୁଏ ଓ ସେସବୁର ସମାଧାନ କରି ନୂଆ କିଛି କରିବାର ପ୍ରେରଣା ପାଏ l ପରିବାର ମଧ୍ୟରେ ସମୟ କେମିତି କଟିଯାଏ, ଜଣାପଡେ ନାହିଁ l ପରିବାର ର ମୁଖିଆ ପ୍ରତି ସଦସ୍ୟ ଙ୍କ ଇଛା ଓ ସୁବିଧା ଉପରେ ଧ୍ୟାନ ଦେଇ ପରିବାର କୁ ଚଳେଇନେବାର ଦକ୍ଷତା ରଖନ୍ତି l

କଥାରେ ଅଛି :- ” Family gives you roots to stand tall and strong. ” ଅର୍ଥାତ୍ :- ପରିବାର ଭିତରେ ହିଁ ବ୍ୟକ୍ତି ର ବ୍ୟକ୍ତିତ୍ୱ ର ମୂଳଦୁଆ ପଡ଼ିଥାଏ, କ୍ରମେ ସବୁ ପରିସ୍ଥିତିର ସାମନା କରିବା ପାଇଁ ତା ଭିତରେ ସାହସ ଓ ଧୈର୍ଯ୍ୟ ସ୍ୱତଃ ଜାଗ୍ରତ ହୋଇଥାଏ l ତେଣୁ ପରିବାର ମଧ୍ୟରେ ରହି ପରିବାର ସଦସ୍ୟଙ୍କ ଆଶୀର୍ବାଦ ଏବଂ ସହଯୋଗ ପାଉଥିବା ବ୍ୟକ୍ତି ନିଶ୍ଚିତ ରୂପେ ଭାଗ୍ୟବାନ l

🔸 ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ଫୋନ – 6370516478
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର

Leave A Reply

Your email address will not be published.

8 + eighteen =