ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ଶାରଦୀୟ ମହାସପ୍ତମୀ ପର୍ବ ଓ ବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଭୋର ୪ଟାରେ ପହଡ଼ ଖୋଲାଯାଇ ମଙ୍ଗଳଆଳତି, ପଞ୍ଚ ଅବକାଶ କରାଯିବା ପରେ ମନ୍ଦିର ଯୁବସେବାସୀମାନଙ୍କ ଦ୍ୱାରା ମହାନଦୀର ରେଣୁକା ତୁଠରୁ ସହସ୍ର କୁମ୍ଭଜଳ ଅଣାଯାଇ ଭୃଙ୍ଗରୀ ସ୍ନାନ ପରେ ମାଜଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଆଜି ମହା ସପ୍ତମୀରେ ଦେବୀଙ୍କ ମହାଲକ୍ଷ୍ମୀ ବେଶ ସମ୍ପନ୍ନ ପରେ ସୂର୍ଯ୍ୟପୂଜା, ନବଶକ୍ତି କଳସ ପୂଜା ଆଦି ସମସ୍ତ ଆନୁସଙ୍ଗିକ ନୀତକାନ୍ତି ହୋଇଥିଲା । ସଂକଳ୍ପ କଳସ ନିକଟରେ ଛାମୁଚଣ୍ଡୀ ଓ ରାମାୟଣ ପାଡ ହେବା ସହିତ ମା’ଙ୍କ ନିକଟରେ ମାଣ୍ଡୁଅ ଓ ମଧ୍ୟାହ୍ନ ଧୂପ ଶେଷ ହୋଇ ବିଶ୍ରାମ ପାଇଁ ପହଡ ବନ୍ଦରହିଥିଲା । ରାତ୍ର ଧୂପରେ ଦହି ପଖାଳ , ଅଧର ପଣା ଓ ବଡ ସିଂହାର ଆଦିର ଭୋଗ ବ୍ୟବସ୍ଥା କରାଯାଇଥିଲା । ମହାସପ୍ତମୀରେ ଜଗତମାତାଙ୍କ ଦୁର୍ଲଭ ମହାଲକ୍ଷ୍ମୀବେଶକୁ ଦର୍ଶନ କରିବା ପାଇଁ ସକାଳେ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା । ପଞ୍ଜିକା ଗଣନାନୁସାରେ ଆଜି ଶୁକ୍ରବାର ଓଡ଼ିଶାର ପ୍ରତ୍ୟେକ ପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ମୃଣୟୀ ଦେବୀଙ୍କ ସପ୍ତମୀ ପୂଜା ଶନିବାର ଅନୁଷ୍ଠିତ ହେଉଥିବା ବେଳେ ଶକ୍ତି ପୀଠଗୁଡିକରେ ମହାଷ୍ଟମୀ ପୂଜା ବିଧି ସମ୍ପନ୍ନ ହେବ ।ମହାଷ୍ଟମୀ ରାତିରେ ଶନିବାର ଦେବୀ ଚର୍ଚ୍ଚିକାଙ୍କ ମହିଷାମର୍ଦ୍ଦିନ୍ ବେଶ, ମହାଷ୍ଟମୀର ବିଶେଷ ହୋମଯଜ୍ଞାଦି କାର୍ଯ୍ୟ ନିଶାର୍ଦ୍ଧ ରାତିରେ ହେବ । ଅଷ୍ଟମୀ ଓ ନବମୀ ତିଥିର ସନ୍ଧିକ୍ଷଣରେ ସନ୍ଧିପୂଜା ହେବାର କାର୍ଯ୍ୟକ୍ରମ ରହିଛି ।