ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ) : ତିର୍ତୋଲ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ମା ଦୂର୍ଗାଙ୍କ ନବମୀ ପୂଜା ହୋଇଛି। ଘଟ ସହିତ ମାଙ୍କର ମୃଣ୍ମୟୀ ମୂର୍ତି ପୂଜାର୍ଚ୍ଚନା କରାଯିବା ସହିତ ପ୍ରତ୍ୟେକ ଦେବୀ ମଣ୍ଡପରେ ଅତ୍ୟାଧୁନିକ ତୋରଣ ଓ ଆଲୋକମାଳାରେ ଭରି ରହିଛି । ନରୁଆ ଛକରେ ଥିବା ଅରବିନ୍ଦ ଦୂର୍ଗା ପୂଜା କମିଟି, ଥାନାଗଡା ଦୂର୍ଗାପୂଜା କମିଟି, ଦାଇଁଲୋ ପଂଚାୟତର ହାବେଳୀ ଗ୍ରାମ, ତିର୍ତୋଲର ନେହେରୁ କଲୋନୀ, ରାହାମା ହାଟ ବଜାର ଦୂର୍ଗାପୂଜା କମିଟି, ସିରସ୍ତା ହାଟ ବଜାର ପ୍ରଭୃତି ସ୍ଥାନରେ ଆଜି ନବମୀ ପୂଜା ହୋଇଛି । ସେହିପରି ଜଗନ୍ନାଥପୁର ପଂଚାୟତ ସାଗବାରିଆ ନରୁଆ ଛକଠାରେ ଦୀର୍ଘ ୪୩ ବର୍ଷ ଧରି ଚାଲିଥିବା ଦୂର୍ଗାପୂଜା ଅବସରରେ ପୀଠ ଓ ମୃଣ୍ମୟୀ ମୃର୍ତି ପୂଜା ଜାକଜକମରେ ପାଳିତ ହୋଉଥିବାବେଳେ ଚଳିତ ବର୍ଷ ମାଙ୍କ ସମେତ ପାଶ୍ୱର୍ ଦେବଦେବୀଙ୍କର ରୋପ୍ୟ ନିର୍ମିତ ମୁକୁଟ ପିନ୍ଧିଥିବା ଦେଖିବାକୁ ମିଳିଛି । ୧୯୭୭ ମସିହାରେ ଗ୍ରାମର ପୁରୁଖା ଲୋକମାନଙ୍କ ଦ୍ୱାରା ବାଉଁଶ ନିର୍ମିତ ଚାଳଛପର ଘରେ ଏହି ପୂଜା ହୋଇଆସୁଥିବାବେଳେ ୧୯୯୦ ମସିହାରେ ଏହି ସ୍ଥାନରେ ସ୍ଥାୟୀ ମଣ୍ଡପ କରାଯାଇଥିଲା । ଦୀର୍ଘଦିନ ଧରି ମୃଣ୍ମୟ ମୃର୍ତିକୁ ଆମ୍ବିକି ଗ୍ରାମର ବ୍ରଜବନ୍ଧୁ ମଣ୍ଡଳ ନିର୍ମାଣ କରିଆସୁଛନ୍ତି । ସାଗବାରିଆ, ନରୁଆ ଖଡ଼ଗ ପୁର ଓ ଆଖାପାଖ ଗ୍ରାମର ଗ୍ରାମବାସୀମାନେ ସହଯୋଗର ହାତ ବଢ଼ାଇଛନ୍ତି ।