ସଂଘମିତ୍ରା ରାଏଗୁରୁ
ହଁ ନାହିଁ
ନା ନାହିଁ
ତ୍ରିଶଙ୍କୁ ପରିକା ମୁଁ
ଏପଟ ସେପଟ ଝୁଲୁଛି
ଦର-ଆଉଜା କବାଟ
ଅଧାଖୋଲା ଝରକା ଫାଙ୍କରେ
ଅହରହ ଶଙ୍ଖଟେ ଫୁଙ୍କୁଛି
ଟୁକୁରା ଟୁକୁରା ମୋତେ
ମୁଁ ସଂଙ୍ଖୋଳି ବସିଛି
ପାଖେ ଅପେକ୍ଷାର ତୁଫାନ
ପାଖେ ଉପେକ୍ଷାର ଭୂକମ୍ପ
ମଝିରେ ମୁଁ
ମୋ ଭିତରେ ନୀରବ କୋଳାହଳ
ଦୁଲୁକି ଉଠୁଛି ଚଟାଣ
ଚହଲି ଯାଉଛି କାନ୍ଥ
ଖସିପଡୁଛି ଗୋଟିଗୋଟି ଚିତ୍ର
ମୋ ଘରସାରା ଭଙ୍ଗାରୁଜା କାଚ
ମୁଁ ସଜାଡି ପାରୁନି
ମୁଁ ଉଜାଡି ପାରୁନି
ଧୁଳି ଜଡସଡ ଆଲୁଅର ଧାର
ଛାଇର ପାଦ ପଖାଳୁଛି
ଉତ୍କଣ୍ଠାର ଆଙ୍ଗୁଳି ବଢେଇ ନିରାଶ ହେଉଛି
ଅଣ୍ଟିରେ ଗୋଟଉଛି ଖରା
ନିଜ ଦେହରେ ନିଜେ ବୁଡ ପକଉଛି
ବଡ ହିସାବୀ କଲମ ମୋର
ଦେଖ!
ବେହିସାବୀ ଶବ୍ଦକୁ କେମିତି କିଣୁଛି ବିକୁଛି
ଆଶ୍ଚର୍ଯ୍ୟ!
ଲୁହ ବିସର୍ଜିବାର କଳା ଶିଖିପାରିଲିନି
ଚୀରକାଳ ଘା’ର ଘା’ହିଁ ଖୋଜିଲି
ମଲମଟେ ଯାଚିପାରିଲିନି
କେହି ଜାଣ ଯଦି କୁହ
ଭାବନାର ଭୂଜାଲିରେ
କାଟିକୁଟି ହେଲାପରେ
ଯୋଡିସଜାଡି ନିଜକୁ କେମିତି ପା’ନ୍ତି
କାହିଁ କେତେ ଷ୍ଟପେଜରେ ଅଟକିଲା ପରେ
ଖଣ୍ଡ ଖଣ୍ଡ ନିଜକୁ
ନିଜଠାକୁ କେମିତି ଫେରାନ୍ତି
ବାଃ ରେ ଜୀଵନ
ତୋତେ ଖରାରେ ଶୁଖେଇ
ମୁଁ ବର୍ଷାରେ ଧୋଉଛି
ୟା ଠୁ ଅଧିକ ଆଉ କ’ଣ ବା କରିଛି
ନଦୀରେ ସମୁଦ୍ର ମାରି
ସମୁଦ୍ରରେ ନଦୀ ତଲାସିବା ମିଛ
ଅତୀତର ଦାୟରେ
ଭବିଷ୍ୟତର ମାୟାରେ
ବର୍ତ୍ତମାନ କୁ ଧନ୍ଦିଦେବା ମିଛ
ମୁଁ ବୁଝୁଛି,ତଥାପି ବୁଝୁନି
ମୂହୁର୍ତ୍ତରେ ଥାଇ
ମୂହୁର୍ତ୍ତରେ ନଥିବା ମିଛ
ସୂର୍ଯ୍ୟ ନାଁ ରେ ଦିନ
ଜହ୍ନ ନାଁ ରେ ରାତି ଲେଖି ଭୁଲିଯିବା ମିଛ
ମୁଁ ବୁଝୁଛି, ତଥାପି ବୁଝୁନି-
ଶିମିଳି ଫୁଲର ଜୀବନ ଏ
ତୁଳାପରି ଏଣେତେଣେଉଡିବ ଉଡୁଛି
ସବୁକୁ ସାଉଁଟିବାର ସାମର୍ଥ୍ୟ,
କାହାର ବା ଅଛି?
ସତରେ କହିଲ!
ଏତେବଡ ଦୁନିଆଁରେ
ଗୋଟାପଣେ କେହିଜଣେ ଅଛି?
ରାୟପୁର, ଛତିଶିଗଡ଼
7693886355
