ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ବାଙ୍କୀ ଓଡିଆ ସଂସ୍କୃତି ଓ ଐତିହ୍ୟର ଅନ୍ୟତମ ପ୍ରାଣକେନ୍ଦ୍ର

0 488


ବାଙ୍କୀ : ବାଙ୍କୀ ମହୋତ୍ସବର ଆଜି ଦ୍ୱିତୀୟ ସନ୍ଧ୍ୟା । ମହୋତ୍ସବରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଂସ୍କୃତି ମନ୍ତ୍ରୀ କହିଲେ, ଦେଶର ସମବାୟ ଆନ୍ଦୋଳନର ଜନ୍ମସ୍ଥାନ ଭାବେ ପରିଚିତ ବାଙ୍କୀ ଓଡିଆ ସଂସ୍କୃତି ଓ ଐତିହ୍ୟର ଅନ୍ୟତମ ପ୍ରାଣକେନ୍ଦ୍ର । ଏପରି ଏକ ଐତିହ୍ୟ ସମ୍ପନ୍ନ ସହରରେ ଏକ ମହୋତ୍ସବ ଆୟାଜିତ ହେଉଥିବା ଅଭିନନ୍ଦନୀୟ । ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ବାଙ୍କୀରେ ବହୁ ସୁଯୋଗ୍ୟ ସନ୍ତାନ ରାଜ୍ୟର ବିଭିନ୍ନ କ୍ଷେତ୍ରକୁ ପରିପୁଷ୍ଟ ଓ ସମୃଦ୍ଧ କରିଛନ୍ତି । ରାଣୀ ଶୁକଦେଈଙ୍କ ଠାରୁ ଆରମ୍ଭ କରି ରାୟବାହାଦୁର ବିଦ୍ୟାଧର ପଣ୍ଡା, ନୀଳମଣି ବିଦ୍ୟାରନ, ପଣ୍ଡିତ ଗୋବିନ୍ଦ ରଥ,କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଗୋକୁଳାନନ୍ଦ ପ୍ରହରାଜ, ନୃତ୍ୟଗୁରୁ ଗୋପୀକୃଷ୍ଣ ବେହେରା, ହେମନ୍ତ ଦାସ, ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ସମେତ ଅନେକ ପ୍ରତିଭାଧାରୀ ବ୍ୟକ୍ତି ବାଙ୍କୀ ମାଟିକୁ ଗୋରାବନ୍ୱିତ କରିପାରିଛନ୍ତି । ବାଙ୍କୀ ମହୋତ୍ସବ ରାଜ୍ୟର ମହାନ ସଂସ୍କୃତିକୁ ଅଧିକ ରୁଦ୍ଧିମନ୍ତ କରିବା ସହିତ ବାଙ୍କୀର ଯୋଗଜନ୍ମାମାନଙ୍କ ମହାନ ସ୍ମୃତିକୁ ଚିର ଅମ୍ଳାନ ଓ ପ୍ରେରଣାଦାୟୀ କରିବାରେ ମୁଖ୍ୟ ଭୂମିକା ନେବ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ସୋମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ବାଙ୍କୀରେ ଏଭଳି ମହୋତ୍ସବ ଆୟୋଜନ ଏ ଅଂଚଳର କଳା, ସାଂସ୍କୃତିକ ପରମ୍ପରାର ପ୍ରଚାର ଓ ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏବେବି ରାଣୀ ଶୁକଦେଈଙ୍କ ବୀରତ୍ୱ ଆମ ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସବ ହୋଇ ରହିଛି । ସମ୍ମାନିତ ବକ୍ତା ସାହିତି୍ୟକ ଡ. ମୃତୁ୍ୟଞ୍ଜୟ ରଥ କହିଥିଲେ, କଳା, ସଂସ୍କୃତି, ଐତିିହ୍ୟ ଓ ସାହିତ୍ୟ ସହିତ ବାଙ୍କୀ ଜଡିତ । ବାଙ୍କୀର ଦେବୀ ମା’ଚର୍ଚ୍ଚିକାଙ୍କ ଅଶେଷ କରୁଣାରୁ ଆଜି ଏହି ମହୋତ୍ସବ ଲୋକ ଉତ୍ସବରେ ପରିଣତ ହୋଇ ସମଗ୍ର ଓଡ଼ିଶାକୁ ଦିଗଦର୍ଶନ ଦେଖାଇଛି । ଡମପଡ଼ା ତହସିଲଦାର ଇନ୍ଦିରା ସାହୁ, ବାଙ୍କୀ ମହୋତ୍ସବ ଉପସଭାପତି ସୁରଞ୍ଜନ ପଣ୍ଡା,ଅନୁପ ବଥୁଆଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବାଙ୍କୀ ମହୋତ୍ସବ ସଫଳତା ଉପରେ ଆଲୋକପାତ କରିଥିଲେ । ମାତୃଶକ୍ତି ନୃତ୍ୟାନୁଷ୍ଠାନ ଆବାହନୀ ସଂଗୀତ ଗାନ କରିଥିଲେ । ମହୋତ୍ସବ ସମ୍ପାଦକ ଡଃ.ଗଣେଶ୍ୱର ସ୍ୱାଇଁ ସ୍ୱଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଆଡ୍ଭୋକେଟ୍ ସନ୍ତୋଷ କୁମାର ରଣା ଅତିଥି ପରିଚୟ ଦେଇଥିଲେ । ମହୋତ୍ସବ ସଭାପତି ପ୍ରଭାତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କହିଲେ ଯେ ପବିତ୍ର କୁମାର ପୂର୍ଣ୍ଣମା ଅବସରରେ ବାଙ୍କୀ ମହୋତ୍ସବ ୨୦ବର୍ଷରେ ପଦାର୍ପଣ କରିଛି । ବାଙ୍କୀବାସୀଙ୍କର ଅକୁଣ୍ଠ ସମର୍ଥନ ଏହି ଉତ୍ସବକୁ ଗଣଉତ୍ସବ ରେ ପରିଣତ କରିଛି । ବାଙ୍କୀ ମହୋତ୍ସବ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ନବ ଉନ୍ମେଷ ଓ ଜାଗରଣ ସୃଷ୍ଟି କରିପାରିଛି ବୋଲି ସେ କହିଥିଲେ । ଡାକ୍ତର ରାମଚନ୍ଦ୍ର ରାଉତ, ସାହିତି୍ୟକ ନକୁଳ ସାହୁ, ପୋଲିସ ପ୍ରଶାସକ ପ୍ରଦୀପ ପଟ୍ଟନାୟକ, ସମାଜସେବୀ କାମଦେବ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ରୀଡା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହୋତ୍ସବର ମୁଖ୍ୟ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ତି୍ରପାଠୀ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିଥିଲେ । କବି ଚମ୍ପକ ରବିନାରାୟଣ ମଙ୍ଗରାଜଙ୍କ ପୁସ୍ତକ ‘ସୁବର୍ଣ୍ଣ ସ୍ମୃତି’ ଓ କବି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ କ୍ୟାସେଟ୍ ‘ତୁମେ ଗଲାପରେ’କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ମହୋତ୍ସବର ଉପସଭାପତି ଅନନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଡ୍ଭୋକେଟ୍ ବ୍ରଜକିଶୋର ମହାପାତ୍ର ଓ ଯୁବନେତା ପଠାଣି ବେହେରା ମଂଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

sixteen − 5 =