ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ବୋଧେଇ ପଂଚାୟତ ନୂଆପୋଖରୀ ବଜାରରେ ଦୀର୍ଘ ୪୫ ବର୍ଷ ହେବ ମା କାଳୀଙ୍କ ପୂଜା ପର୍ଥା ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଆସୁଛି । ସ୍ୱାମୀ ବିବେକାନନ୍ଦ କାଳୀପୂଜା କମିଟି ଦ୍ୱାରା ପ୍ରତି ବର୍ଷ ଆୟୋଜିତ ହେଉଥିବା କାଳୀପୂଜା ସ୍ଥାନୀୟ ଅଂଚଳରେ ପ୍ରସିଦ୍ଧି ଲାଭ କରିଛି । ଚଳିତ ବର୍ଷ କାଳୀପୂଜାରେ ଅଘଟଣ ଘଟିଛି । ରବିବାର ପ୍ରାୟ ରାତି ୧୧ଟା ବେଳେ ଏହି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ସାଅଶ ଗ୍ରାମର କେଦାର ଦାଶଙ୍କ ଏକମାତ୍ର ପୁତ୍ର ଅନ୍ନଦା ପ୍ରସାଦ ଦାଶ(କାଳିଆ) ମା କାଳୀଙ୍କ ପୂଜକ ଭାବେ ପୂଜା ନୀତି ସଂପନ୍ନ କରୁଥିଲେ । ମା’ଙ୍କ ଚକ୍ଷୁ ଦାନ କର୍ମ ପରେ ପରେ ମୁଖ୍ୟ ପୂଜକ କାଳିଅ(୩୦) ପୂଜା କରିବା ସ୍ଥାନରେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଅଘଟଣକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । କେହି କେହି କାଳିଆର ହୃଦଘାତ କାରଣରୁ ମୃତୁ୍ୟ ହୋଇଥିବା ବୋଲି କହୁଥିବା ବେଳେ କେହି କେହି ପୂଜା କମିଟି ସଦସ୍ୟ କିମ୍ବା କର୍ତା ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପକ୍ଷରୁ ମା’ଙ୍କ ନୀତିକାନ୍ତିରେ ତୃଟି ଥିବା ଏଭଳି ଅଘଟଣ ଘଟିଲା ବୋଲି ଆଲୋଚନା ହେଉଛି । ପୁଣି କେତେକ କାଳିଆ ଜଣେ ନିଷ୍ଠାପର ବ୍ରାହ୍ମଣ ଏବଂ ମା’ଙ୍କ ପାଦତଳେ ତାଙ୍କ ଜୀବନ ଯିବା ଭାଗ୍ୟର କଥା ବୋଲି ଆଲୋଚନା କରୁଛନ୍ତି । କାଳିଆ ତାଙ୍କ ପରିବାରର ଏକମାତ୍ର ପୁତ୍ର, ସେ ଅବିବାହିତ ଥାଇ ବିଭିନ୍ନ ପୂଜା କର୍ମରେ ନିଜକୁ ନିୟୋଜିତ କରିଥିଲେ । ଏଭଳି ଜଣେ ପୂଜକଙ୍କ ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ସେହପରି ତିର୍ତୋଲର କୋଟକଣା, ଲଙ୍କାପଡ଼ା, ସାମନ୍ତାରାପୁର(ମୁରାରୀପୁର) ସମେତ ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । କଟକ-ପାରାଦୀପ ରାସ୍ତା ସାରଳାରୋଡ଼ ଠାରେ ଥିବା ଶାରଳା ଶ୍ରୀକ୍ଷେତ୍ର ଠାରେ ମା କାଳୀଙ୍କ ପୂଜା ଜାକଜମକରେ ହେଉଥିବାବେଳେ ଶ୍ରୀ ଜଗନ୍ନାଥ ସାଜସଜା ପକ୍ଷରୁ ଅତନ୍ତ ମନୋରମ ଭାବରେ ଆୟୋଜନ କରାଯାଇଛି । ସୁଉଚ୍ଚ ତୋରଣ, ରଙ୍ଗିନ ଆଲୋକମାଳା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାପାଇଁ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି ।