ପାରାଦୀପ/ଅଠରବାଙ୍କୀ(ସ୍ମୃତିରଂଜନ ଜେନା): ପୌରପାଳିକା ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ମଙ୍ଗଳବାର ଦିନ ଆୟୋଜିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପାରାଦ୍ୱୀପଠାରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଦିବ୍ୟାଙ୍ଗମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ । ଏଥିରେ ଦୃଷ୍ଟିଶକ୍ତିହୀନ, ମାନସିକ ରୋଗୀ, ମୂକ ବଧିର ପ୍ରଭୃତି ରୋଗୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇ ୨୧୭ଜଣ ଦିବ୍ୟାଙ୍ଗଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା । ଏଠାରେ ପ୍ରକାଶ ଥାଉକି ସ୍ଥାନୀୟ ଆଞ୍ଚଳରେ ରହୁଥିବା ଏହି ଦିବ୍ୟାଙ୍ଗମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିସଳୟରୁ ପ୍ରମାଣ ପତ୍ର ଆଣିବା ଓ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଇବା ଏକ କଷ୍ଟସାଧ୍ୟ ବ୍ୟାପାର ହୋଇଥାଏ । ଏଣୁ ସେମାନଙ୍କ ସୁବିଧା ପାଇଁ ପାରାଦ୍ୱୀପ ପୌରପାଳିକା ଏପରି ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ କଲେଜ ଆଧ୍ୟାପକ ତଥା ଏନ୍ସିସି ପ୍ରଶିକ୍ଷକ ଅକ୍ଷୟ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ଏନ୍ସିସି କ୍ୟାଡେଟ୍ସ୍ , ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଆହ୍ୱାନ କମ୍ବାଇନ୍ସ ସଦସ୍ୟମାନଙ୍କ ସହଯୋଗ ବେଶ୍ ପ୍ରଶଂସନୀୟ ଥିଲା । ଏହି କାର୍ଯ୍ୟକ୍ରମକୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି ଓ ଉପାଧ୍ୟକ୍ଷା ପ୍ରଭାତୀ ନାୟକ ପରିଚାଳନା କରିଥିଲେ । ତେବେ ପୌରପାଳିକାର ଏପରି ସମାଜସେବା କାର୍ଯ୍ୟପାଇଁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।