ଡିସେମ୍ବର…ଡିସେମ୍ବର…ଡିସେମ୍ବର

0 704

. ଇଂ ବିଷ୍ଣୁ ସାହୁ

କାକର ପାଲିଙ୍କି ଚଢ଼ି/ନୂଆବର୍ଷ ପଶିଆସେ/ଜଙ୍କ୍ ଲଗା ଝରକାର,ପଞ୍ଜରା ଫାଙ୍କରେ

କେନ୍ଦେରା ବଜେଇ ଶୀତ/ଗାଉଥାଏ ଗୀତ ବସି/କୁହୁଳା ଉହ୍ମେଇ କଡ଼େ ନିଆଁ ପୋହୁଁପୋହୁଁ

ଛାତରେ କୋହଲା ପାଗ/ପବନର ଶିରିଶିରି/ଭୁଆସୁଣୀ ପ୍ରିଣ୍ଟ୍ ଶାଢ଼ି ଵୋଝେ ଓଦାବାଳ…

ସ୍ଲିଭ୍ ଲେସ୍ ବ୍ଲାଉଜ୍ ରୁ/ଦିଶେ ଇଭା ମହାନ୍ତିର/ଗୋରା ତକ୍ ତକ୍ ପିଠି ଦେହର ଭୂଗୋଳ….
××××××××

ଡ୍ରିଲ୍ ର ପୋଷାକ ପିନ୍ଧି/ଖରା ଆସେ ଛାଣିହୋଇ/ତାଳଗଛେ ବାୟାବସା ବୁଢ଼ିଆଣୀ ଜାଲେ

କ୍ଳାନ୍ତ ପ୍ରଜାପତି ଭଳି/ଛଟପଟ ଦୀର୍ଘଶ୍ବାସ/ଶୂନ୍ ଶାନ୍ ରାତିଅଧେ ଗୀତର ମୁଖ୍ଡ଼ା

ଚିନାବାଦାମ୍ ର ଚୋପା/ଥାଏ ପ୍ୟାଣ୍ଟ୍ ପକେଟରେ/ବେପରୁଓ୍ବା ଚା’ ପାନ ବିଗତ ସନ୍ଧ୍ୟାର….

ଉଷୁମ ବିଛଣା ଦାଢ଼େ/ହୁଏ ଖାଲି ଭିଡିମୋଡ଼ି/ଅବାନ୍ତର ସ୍ବପ୍ନ ଯେତେ କେଉଁ ସୁନନ୍ଦାର…..
××××××××

ଶୀତର ରିଆଜ୍ ଶୁଭେ /ଘମାଘୋଟ ଅନ୍ଧକାରେ/ପୋଲତଳେ ରାତିଶେଷ ଟ୍ରେନ୍ ର ହ୍ବିସିଲ୍

ଭୂତକୋଠି ରୁମ୍ ସାରା/ହତାଶାର ହାତଗୋଡ଼/ସିଲିଂଫ୍ୟାନ୍ ଫଡ଼୍ ଫଡ଼୍ କ୍ୟାଲେଣ୍ଡର୍ ପୃଷ୍ଠା

ସ୍ମୃତି ଆଉ ଶୀତ ଦୁହେଁ/ବାୟୋନେଟ୍ ମୁନ ପରି/ଅହରହ ଜିଦ୍ କରି ଖେଞ୍ଚୁଥାନ୍ତି ମୋତେ…..

ଭାବନାର ଗଳିମୋଡ଼େ/ଘୁଣଖିଆ କଥାସବୁ/ଭରପୂର ଡଷ୍ଟବିନ୍ ଆବର୍ଜନା ଯେତେ…..
××××××××××

ପିକ୍ ନିକ୍ କ୍ରିସ୍ ମାସ୍/ଏକତ୍ରିଶ୍ ଡିସେମ୍ବର/ନାଚଗୀତ ହରରଙ୍ଗୀ ଯେତେ ମେହେଫିଲ୍

ଅଳନ୍ଧୁରେ ଭର୍ତ୍ତି ଘର/ପୁରୁଣା ହ୍ୟାଙ୍ଗର୍ ଆଉ/ଦସ୍ତା ଟ୍ରଙ୍କ୍ ରହଣିଆ ଶାଲ୍ ଲୋଚାକୋଚା

ମଇଳା ଟେବୁଲ୍ ଲ୍ୟାମ୍ପ୍/ ରଫ୍ ଖାତା ସାରା ଏବେ/ଘଷରା ଆଇନା ପରି କବିତାର ଫର୍ଦ…..

ଝଡ଼ର ଈଗଲ୍ ହୋଇ/ସମୟ ତ ଯିବ ଟପି/ଏ ବର୍ଷର ଯେତେ ସବୁ ସୀମା ସରହଦ…..
×××××××××××


Leave A Reply

Your email address will not be published.

1 × five =