ଡ଼. ତୃପ୍ତି ରଞ୍ଜନ ଦାସ
………………………………………..
ହେ ପୃଥିବୀ ମୋ ଜନ୍ମ ପୂର୍ବରୁ ତୁମେ ଥିଲ, ମୋ ସାତ ପୁରୁଷଙ୍କ ପୂର୍ବରୁ ମଧ୍ୟ ତୁମେ ଥିଲ । ମୁଁ ନଥିବି କିନ୍ତୁ ତୁମେ ଥିବ । ଆଜି ଏହି ଘଡି ସନ୍ଧି ମୁହୂର୍ତ୍ତରେ, ମତେ ନିଜ ଉପରେ ଦୟା ଆସୁଛି ଏବଂ ହସବି ଲାଗୁଛି। କାରଣ ତୁମ ସୁରକ୍ଷା ପାଇଁ ମୁଁ ଚିନ୍ତିତ ଥିଲି, କିନ୍ତୁ ଜାଣିନଥିଲି ତୁମେ ସ୍ୱରକ୍ଷକ ବୋଲି ।
ବଦଳି ନାହିଁ ତୁମର ଘୁର୍ଣ୍ଣନ । ବଦଳି ନାହିଁ ତୁମ ଋତୁ ଚକ୍ର । ସମୟ ସେଇମିତି ଚବିଶି ଘଣ୍ଟା ଅଛି । ସୂର୍ଯ୍ୟ ସେଇମିତି ପୂର୍ବରେ ଆସି, ପଶ୍ଚିମରେ ଯାଉଛନ୍ତି । ଆକାଶ ବିହଙ୍ଗ ମଣ୍ଡିତ ଅଛି । ସନ୍ଧ୍ୟାରେ ଚଇତି ପବନ ଘୁନ୍ଦାଳୁଛି । ସମୁଦ୍ର ରେ ପୂର୍ବପରି ଉତ୍ତାଳ ଲହଡି ଭାଙ୍ଗୁଛି । କିନ୍ତୁ ତୁମକୁ ରକ୍ଷା କରିବାର ଡିଣ୍ଡିମ ପିଟୁଥିବା ମଣିଷ ଆଜି ନିଜେ ଜୀବନ ଭିକ୍ଷା ମାଗୁଛି । ଚାରି କାନ୍ଥରେ ବନ୍ଦୀ ହୋଇ ସ୍ୱରଚିତ ବ୍ୟୁହରେ ଅଣନିଶ୍ୱାସୀ ହେଇଯାଉଛି । ଏଇ କିଛି ଦିନ ମୁଁ ଗୃହ ବନ୍ଦୀ ହେବା ପରେ, ଭରିବାରେ ଲାଗିଛି ତୁମ ବହୁଦିନର କ୍ଷତ । ଯେଉଁ କ୍ଷତର କର୍ତ୍ତା ମୁଁ ନିଜେ । ଜାଣି ବିସ୍ମୟ, ଆଶ୍ଚର୍ଯ୍ୟ ହେଲି ତୁମ କ୍ଷତର ଔଷଧ ମୋ ସ୍ୱବନ୍ଦୀ ବୋଲି । ଏଇଥରୁ ସ୍ପଷ୍ଠ ପ୍ରମାଣିତ ତୁମେ ମୋ ଉପରେ କେବେ ନିର୍ଭରଶୀଳ ନୁହଁ । ମୂର୍ଖାମୀର ବଶବର୍ତ୍ତୀ ହୋଇ ତୁମକୁ ଅକ୍ତିଆର କରି ବିଜୟର ବାନା ଉଡାଉଥିଲି । ଏବେ ହୃଦୟଙ୍ଗମ ହୁଏ କି ମୁଁ ତୁମକୁ ଜିତି ନଥିଲି, ବରଂ ତୁମେ ମତେ କୋଳେଇ ନେଇଥିଲ । ଆଉ ତୁମେ ଚାହିଁଲେ ମତେ ଯେକୌଣସି ସମୟରେ ତଡିଦେଇ ପାର ।
ଏଇ କିଛି ଦିନ ମଧ୍ୟରେ ପ୍ରଥମ ଥର ପାଇଁ ମହାକାଶରୁ ଦେଖି ହେଉଥିଲା ତୁମ ସଦ୍ୟଭରିଲା କ୍ଷତକୁ । ଯେଉଁ କ୍ଷତ ମୁଁ କରିଥିଲି ମୋ ମୁଣ୍ଡ ଉପର ଆକାଶରେ, ମୋ ଫୁସଫୁସରେ ନୀତି ଦୋଳି ଖେଳୁଥିବା ବାୟୁରେ ଆଉ ମୋ ପାଦତଳେ ଥିବା ମାଟିର ଗର୍ଭରେ । ଚାଇନା, ଇଟାଲୀ, ୟୁ.କେ, ଜର୍ମାନୀ ଭଳି ଅନେକ ଦେଶରେ ଅଙ୍ଗାରକାମ୍ଳର ପରିମାଣ ବାୟୁ ମଣ୍ଡଳରେ ଅସ୍ଥାୟୀ କାଳ ପାଇଁ କମି ଆସିଛି । ବିଭିନ୍ନ ଶିଳ୍ପ ଅନୁଷ୍ଠାନ ମାନ ଅସ୍ଥାୟୀ ରୂପେ ବନ୍ଦ ଥିବାରୁ, ପ୍ରଦୂଷଣର ସ୍ତର କ୍ଷୀଣ ହୋଇଆସିଛି । ମନୁଷ୍ୟଙ୍କ ଅବାଧ ବିଚରଣ ଏବଂ କାର୍ଯ୍ୟକଳାପ ଅସ୍ଥାୟୀ ସମୟ ପାଇଁ ଅଟକି ଥିବାରୁ, କମି ଆସିଛି ଘୋଡା ଭଳି ଦୌଡୁଥିବା ତୁମ ହୃଦ ସ୍ପନ୍ଦନ । ଭୂବିଜ୍ଞାନୀ ଙ୍କ ମତ ଅନୁସାରେ ଭୂକମ୍ପନରେ ମନୁଷ୍ୟ କୃତ କମ୍ପନ (କଲଚରାଲ ଭାଇବ୍ରେସନ) ପ୍ରଥମ ଥର ପାଇଁ କମି ଆସିଛି । ଆମ ଭାରତରେ ବାୟୁ ଉତ୍କର୍ଷର ସ୍ତରରେ ଉନ୍ନତି ପରିଲକ୍ଷିତ ହୋଇଛି । ଧଉଳଧର ପାର୍ବତ୍ୟ ଅଞ୍ଚଳ ଦୀର୍ଘ ତିରିଶି ବର୍ଷ ପରେ ଜଳନ୍ଧରରୁ ଦେଖାଯିବା ବାୟୁ ପ୍ରଦୂଷଣରୁ ତୁମର କିଞ୍ଚିତ ମୁକ୍ତି ପ୍ରତିତମାନ ହେଉଅଛି । ନୂଆ ଦିଲ୍ଲୀ ଆଉ ବମ୍ବେ ସହରରେ ବାୟୁ ଉତ୍କର୍ଷର ସ୍ତର ମାପକରେ, ଗତ ବର୍ଷର ଏହି ସମୟ ଠାରୁ ଉନ୍ନତି ପରିଲିକ୍ଷିତ ହୋଇଅଛି । ଯମୁନା ନଦୀର ଜଳରେ ଜମୁଥିବା ପାଉଁସିଆ ଫେଣ ଉଭେଇ ଯିବାକୁ ଲାଗିଛି ।
ତୁମର ଧର୍ଯ୍ୟ ଅନନ୍ୟ ଆଉ ଅସୀମ । ଶ୍ରେଷ୍ଠ ଜୀବ ବୋଲି କ୍ଷୁଦ୍ର ଜୀବଙ୍କ ଉପରେ ଦୟା କେବେ ମୁଁ ଦେଖାଇ ନାହିଁ । କେଉଁ ଜୀବକୁ ଭକ୍ଷଣ କଲି,ତ ପୁଣି କାହାକୁ ପିଞ୍ଜରାରେ ରଖିଲି ଆଉ ପୁଣି କାହାର ଛାଲକୁ ପୋଷାକ କଲି । ତୁମେ ଉପହାର ଦେଇଥିବା ବାୟୁମଣ୍ଡଳକୁ ଧୂଆଁ ଧୁସରିତ କଲି, ବଞ୍ଚିବା ପାଇଁ ଦେଇଥିବା ଜଳକୁ ବିଷାକ୍ତ କଲି । ତୁମେ ବିପଦରେ ଅଛ ବୋଲି ଚାରିଆଡେ କହି ବୁଲିବା ବେଳେ ଆଉ ତୁମ ସୁରକ୍ଷା ପାଇଁ ଚିନ୍ତା କରୁଥିବା ବେଳେ, ତୁମେହିଁ ମୋ କୃତ କର୍ମରୁ ମୋ ପାଇଁ ସଜା ଆଉ ତୁମ ସ୍ୱକ୍ଷତ ଭରିବାର ଔଷଧ ତିଆରି କରିନେଲ।
ଡିହସାହି, ଜଗତସିଂହପୁର