ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ ନଦୀକୁଣ୍ଡା ପୋଲ ହୋଇଥିôବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ପୋଲଟି ଦବିବା ସହିତ ଭୁଷିଡି ପଡିବା ପରିସ୍ଥିତି ଦେଖାଦେଇଛି । ବହୁ ପୁରାତନ ଏହି ପଥର ଯୋଡେଇ ପୋଲଟି ଭୁବନେଶ୍ୱର ସମେତ ବାଙ୍କୀର ୫ଗୋଟି ପଂଚାୟତ , ଖୋର୍ଦ୍ଧା, ନୟାଗଡ଼, ବେଗୁନିଆ ପ୍ରଭୃତି ସ୍ଥାନମାନଙ୍କ ପାଇଁ ପ୍ରମୁଖ ମାଧ୍ୟମ ପାଲଟି ଥିଲା । ଉକ୍ତ ପୋଲ ଦେଇ ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଜନସାଧାରଣ ନିର୍ଭର କରି ବାଙ୍କୀ ହେଡ୍କ୍ୱାଟର ସମେତ ଅନ୍ୟାନ୍ୟ ସ୍ଥାନକୁ ସାଇକେଲ, ଦୁଇ ଚକିଆ ମୋଟର ଯାନ ଏବଂ ବସ୍ ଉପରେ ନିର୍ଭର କରି ଯାତାୟତ କରିଥାଆନ୍ତି । ବାଙ୍କୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅତି ଦୟନିୟ ସ୍ଥିତି ହୋଇଥିବା ବେଳେ ବିଭାଗ ତରଫରୁ ବିପଦଜନକ ରାସ୍ତା ବୋଲି ସତର୍କ କରାଯାଇଛି । ଏପରି ସ୍ଥଳେ ସଂପୃକ୍ତ ପୋଲଟି ଦବିବା ଫଳରେ ଅଂଚଳ ବାସୀ ଆଶଙ୍କା ପ୍ରକାଶ କରିବା ସହିତ ନିକଟ ଭବିଷ୍ୟତରେ ଭୂବନେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହେବବୋଲି ପ୍ରକାଶ କରିଛନ୍ତି । ପୋଲଟି ଦବି ଯିବା ଫଳରେ ଧର୍ମକୁ ଆଖିଠାର ସଦୃଶ୍ୟ ଦୋଷ ଲୁଚାଇବାକୁ ମାଟି ପକାଇ ଦେଇ ବିଭାଗ ଚୁପ୍ ବସିଥିବା ବେଳେ ସୁରକ୍ଷା ପ୍ରାଚୀର ଫାଟି ଆଁ କରି ଭୁଷୁଡିବାକୁ ବସିଲାଣି । ଅନ୍ୟ କିଛି ବିକଳ୍ପ ନଥିବାରୁ ଯଦି ନିକଟ ଭବିଷ୍ୟତରେ ପୋଲଟି ଭୁଷୁଡି ପଡେ ତେବେ ଯାତାୟତ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇପଡ଼ିବ । ଦୀର୍ଘ ବର୍ଷ ହେବ ଉକ୍ତ ପୋଲ ଉପରେ ଜନସାଧାରଣ ନିର୍ଭର କରୁଥିବା ବେଳେ ଏଯାବତ୍ ନଦୀକୁଣ୍ଡା ନାଳ ଉପରେ ପୋଲଟିର ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ଯାହାକୁ ନେଇ ଅଂଚଳ ବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହିିତ ପୂର୍ତ୍ତ ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି । ଏ ସଂପର୍କରେ ଆମେ ବାଙ୍କୀ ପୂର୍ତ୍ତବିଭାଗ ସହିତ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା ।