ତିର୍ତୋଲ (ସାମନ୍ତରାୟ ମନୋରଂଜନ ଦାସ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ରାଜ୍ୟ ସରକାର ବିଜୁ ପକ୍କାଘର ଓ ମୋ ଆବାସ ଯୋଜନାରେ ହେଉଛି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ତିର୍ତୋଲ ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଘେରାଉ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ୪ ଲକ୍ଷ ପକ୍କାଘର ନିର୍ମାଣର ଶୁଭ ଦେବେବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏହି ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବା ଉଚିତ ବୋଲି ବିଜେପି ଦାବି କରିଛି । ରାଜ୍ୟରେ ଗରିବଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି । ମାତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାର ଚତୁର ଭାବେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ ମୋ ଆବାସ ବୋଲି କହି ବିଜ୍ଞାପନ ଦେଉଛନ୍ତି । କେନ୍ଦ୍ର ସରକାର ରାଜ୍ୟ ତଥା ଗ୍ରାମାଞ୍ଚଳରେ ଚାଳଘର ପରିବର୍ତେ ପକ୍କାଘର ନିର୍ମାଣ କରିବାପାଇଁ କହୁଥିବାବେଳେ ତିର୍ତୋଲ ବ୍ଲକରେ ବହୁ ଗରିବ ଯୋଗ୍ୟ ହିତାଧିକାରୀ ପକ୍କାଘର ପାଇବାରୁ ବଂଚିତ ଅଛନ୍ତି । ବିଜେପି ଲୋକ କହି ଶାସକ ଦଳର ଜନ ପ୍ରତିନିଧିମାନେ କ-ଫର୍ମ ଓ ଯୋଗ୍ୟ ତାଲିକାରୁ ଅଯୋଗ୍ୟ ଦର୍ଶାଇଦେଇଥିବା ଉପସ୍ଥିତ ଥିବା ବିଜେପି କର୍ମୀମାନେ ଆଜି ବିଡ଼ିଓଙ୍କୁ ଘେରିବା ସହିତ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ପ୍ରଫେସର ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ଏକ ଟିମ୍ ବ୍ଲକରେ ପହଂଚି ଅଭିଯୋଗପତ୍ର ଦେଇଛନ୍ତି । ଏହା ସହିତ କେନ୍ଦ୍ର ସରକାର ଦେଇଥିବା ଫନି କଂଟିଜେନ୍ସି ଅର୍ଥ ବ୍ଲକ ପ୍ରଶାସନ ଉପଯୁକ୍ତ ଭାବେ କାର୍ଯ୍ୟ କରିବାପାଇଁ ତାଗିଦ୍ କରିଥିଲେ । ଏଥିରେ ଯୁବନେତା ମାନସ ରଞ୍ଜନ ମହାପାତ୍ର, ତିର୍ତୋଲ ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ପ୍ରମୋଦିନୀ ସେଠୀ, ବିନ୍ଧ୍ୟବାସିନୀ ମହାନ୍ତି, ସୁଦିପ୍ତ ନାଥ, ସୁନନ୍ଦ ବିଶ୍ୱାଳ, ସୁର୍ଯ୍ୟ କୁମାର ଦାସ, ବିଜୟ କୁମାର ସ୍ୱାଇଁ, ପ୍ରଶାନ୍ତ ଦାସ, କୌଳାସ ଜେନା, ସାଗର ଦାସ, ପ୍ରଶାନ୍ତ ଦାଶ, ଲିପୁ ମହାପାତ୍ରଙ୍କ ସମେତ ୬୦ରୁ ଉର୍ଦ୍ଧ ବିଜେପି କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।