ଶେଷ ହେଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

0 111

ସଂକଳ୍ପ ପତ୍ର ଆମ କାମର ଆଧାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 ବିଜେଡି ଆମକୁ ଦୁସ୍ଥ ଓଡ଼ିଶା ଦେଇଛି
 ଦୋଷୀଙ୍କୁ ଛଡାଯିବ ନାହିଁ
 ସମାଲୋଚନାରୁ ବାହାରି ବଡ କାମ କରି ଲକ୍ଷ୍ୟ ହାସଲ କରିବାର ସମୟ
 ଓଡ଼ିଆ ଭାବାବେଗ ବୁଝି ନଥିବା ଅହଙ୍କାର ଧ୍ୱଂସ ହୋଇଛି
 ଗର୍ବ ଅହଙ୍କାର ତ୍ୟାଗ କରି ଲୋକଙ୍କ ହିତ ଓ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା: ରାଜ୍ୟ ସଭାପତି
 ଲୋକଙ୍କ ସହ ସମ୍ପର୍କ ସ୍ଥାପନା କରି ସଂଗଠନକୁ ଶକ୍ତିଶାଳୀ କରିବା
 ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦିଆଯିବ ନାହିଁ
 କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଓଡ଼ିଶାବାସୀଙ୍କୁ ଧନ୍ୟବାଦ

ପୁରୀ/ ଭୁବନେଶ୍ୱର,ତା.୨୦/୦୭: ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୩୮ତମ ଦିନ । ଦୀର୍ଘ ଦଶଦ୍ଧିର ସଂଘର୍ଷ ପରେ ବିଜେପି ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ପାଇଛି । ପ୍ରଥମଥର ପାଇଁ ବିଜେପି ଓଡ଼ିଶାକୁ ନିଜସ୍ୱ ମୁଖ୍ୟମନ୍ତ୍ରୀ ଦେଇଛି । ମୁଁ କୃତଜ୍ଞ, ଆପଣମାନଙ୍କ ଆଶୀର୍ବାଦରୁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପଦ ନୁହେଁ ଜଣେ ସମର୍ପିତ କାର୍ଯ୍ୟକର୍ତାଭାବେ ଦାୟିତ୍ୱ ଗ୍ରହଣ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମକୁ ଶାହା ହୋଇଛନ୍ତି । ଆମେ ମହାପ୍ରଭୁଙ୍କ ନାଁରେ ଓଡ଼ିଆ ଅସ୍ମିତାର ଲଢ଼େଇ କରିଥିଲୁ । ମୁଁ ଶପଥ ନେବା ପରେ ପ୍ରଥମେ କ୍ୟାବିନେଟ୍‌ରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାର ନିଷ୍ପତି ହେଲା, ୫୦୦କୋଟିର କର୍ପସ ଫଣ୍ଡ ବ୍ୟବସ୍ଥା ହେଲା, ଭକ୍ତ ଭଗବାନଙ୍କ ଭିତରେ ମନୁଷ୍ୟକୃତ ଅହଂକାରୀ ପାଚେରୀ ଭଙ୍ଗା ଗଲା । ରତ୍ନଭଣ୍ଡାର ତାଲା ମଧ୍ୟ ଖୋଲା ଗଲା । ୨୫ବର୍ଷ ସରକାରରେ ମୁଖ୍ୟମନ୍ତ୍ରୀ ଲୋକଙ୍କର ପାଖରେ ନଥିଲେ । ନବୀନ ବାବୁ ଦୀର୍ଘଦିନ ଶାସନରେ ରହିବି ଖଣ୍ଡି ଓଡ଼ିଆ କହି ଓଡ଼ିଆଙ୍କୁ ଅପମାନିତ କରୁଥିଲେ । ମୁଁ ଓଡ଼ିଆ, ୨୪ଘଂଟା କଠିନ ପରିଶ୍ରମ କରିବାର ଶପଥ ନେଇଛି । ଶପଥର ୩୮ଦିନ ଭିତରେ ଗୋଟିଏ ଦିନ ନାହିଁ ଓଡ଼ିଶାବାସୀଙ୍କୁ ଗୁହାରି ଶୁଣିନାହିଁ ।
ସଂକଳ୍ପପତ୍ର ଆମ କାମର ଆଧାର । ସାଧାରଣ ସଭାରେ ନୁହେଁ ଏନଡିଏ ସାଂସଦଙ୍କ ଯୁଗ୍ମ ବୈଠକରେ ମୋଦି କହିଥିଲେ, ଓଡ଼ିଶାରେ ନୂତନ କ୍ରାନ୍ତି ଆସିଛି । ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶ ଯାତ୍ରାର ଏକ ନମ୍ବର ଇଞ୍ଜିନ ହେବ ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କ ଏହା ଭାଷଣ ନଥିଲା, ଥିଲା ତାଙ୍କର ପ୍ରତିବଦ୍ଧତା । ମୋଦୀଙ୍କ ପ୍ରତିବଦ୍ଧତାକୁ କାର୍ଯ୍ୟରେ ପରିଣତ କରି ଓଡ଼ିଆ ଲୋକଙ୍କ ହୃଦୟ ଜିତିବାର ଦାୟିତ୍ୱ ଏବେ ଆମ ହାତରେ । ଗତ ୧୦ବର୍ଷରେ ମୋଦି ସରକାରରେ ଓଡ଼ିଶାକୁ ପ୍ରଚୁର ଅର୍ଥ ଆସିଛି । ବିଶେଷ ଭାବରେ ମୋଦି ସରକାରଙ୍କ ଖଣିନୀତି ପାଇଁ ପ୍ରଚୁର ଅର୍ଥ ମିଳିଛି । ୧୦ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ଓଡିଶାରେ ଥିବା ଶାସନ ବ୍ୟବସ୍ଥା ଗରିବଙ୍କୁ ନ୍ୟାୟ ଦେବା ବଦଳରେ ହରିଲୁଟ୍‌ର ଆଡ୍ଡା ସାଜିଥିଲା । ବିଜେପି ସରକାର ପ୍ରତିଟି ପଇସା ଗରିବଙ୍କ ହକରେ ବିନିଯୋଗ କରିବ । ଯିଏ ଦୁର୍ନୀତି କରିଛନ୍ତି, ସେମାନଙ୍କ ବିରୋଧରେ ଉପଯୁକ୍ତ ତଦନ୍ତ କରି କଡା ସଜା ଦିଆଯିବ । ବିଜେପି ସରକାର ୧୦୦ଦିନ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛି । ଧାନ କୁଇଂଟାଲ ପିଛା ଚାଷୀଙ୍କୁ ୩୧ଶହ ଟଙ୍କା ମିଳିବ । ଚାଷୀଙ୍କୁ ଏହି ଅର୍ଥ ଓଡ଼ିଶାର ସାଧାରଣ ଲୋକଙ୍କ କ୍ରୟଶକ୍ତିକୁ ବଢ଼ାଇବା ସହ ଓଡ଼ିଶାର ଜିଡିପିରେ ବୈପ୍ଳବିକ ପରିବର୍ତନ ଆଣିବ । ସୁଭଦ୍ରା ଯୋଜନାରେ ରାଜ୍ୟ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ପାଇଁ ନୀତିନିୟମ ପ୍ରଣୟନ କରାଯିବା ସହ ନିର୍ଦ୍ଧାରିତ ସମୟରେ ଏହି ଅର୍ଥ ମା, ଭଉଣୀମାନେ ନେଇ ପାରିବେ ତାର ସୁବନ୍ଦୋବସ୍ତ କରାଯିବ । ୨୦୦କୋଟି ଟଙ୍କାର ଓଡ଼ିଆ ଅସ୍ମିତା ଫଣ୍ଡ କରାଯାଇଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଭାଷା କମିଶନ ଗଠନ ପାଇଁ ଯୋଜନା ଆରମ୍ଭ ହୋଇଛି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ବଡ ବୃଦ୍ଧି କରାଯାଇଛି । ସମସ୍ତଙ୍କୁ ବିଶୁଦ୍ଧପାନୀୟ ଜଳ ପାଇପ ଯୋଗେ ଘରେ ଘରେ ପହଂଚାଇବା ପାଇଁ ଯୋଜନା ଚୂଡାନ୍ତ କରାଯାଇଛି ବୋଲି କାର୍ଯ୍ୟକାରିଣୀରେ ଶ୍ରୀ ମାଝୀ କହିଛନ୍ତି ।
୨୫ବର୍ଷର ସ୍ଥିର ସରକାର ଆମକୁ ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କୃଷି ଓ ନ୍ୟାୟ ପ୍ରଦାନରେ ଶୋଚନୀୟ ଅବସ୍ଥା ଦେଖାଇଛି । ସେହିପରି ମହିଳା ସଶକ୍ତିକରଣର କଥା କହୁଥିବା ବିଜେଡି ସରକାରରେ ଲିଙ୍ଗଗତ ବୈଷମୟ କ୍ଷେତ୍ରରେ ଦେଶରେ ୨୫ଟି ଆକଳିତ ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ୨୮ନମ୍ବରରେ । ଶିକ୍ଷା କ୍ଷେତ୍ରରେ, ଶାନ୍ତି ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ୨୭ନମ୍ବର । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଦୀର୍ଘବର୍ଷର ସରକାର କାମ କରିବା ପାଇଁ ନଥିଲା କେବଳ ପ୍ରଚାର ସର୍ବସ୍ୱ ଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି ।

ପୁରୀଠାରେ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ


ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୁର ଅଛି । ଯଦି ସବୁର ସଦବିନିଯୋଗ କରାଯାଏ ତେବେ ମୋଦିଙ୍କ ଭାଷାରେ ଓଡ଼ିଶା କେବଳ ଦେଶରେ ଏକ ନମ୍ବର ରାଜ୍ୟ ହେବ ନାହିଁ ବରଂ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହର ଆର୍ôଥକ ବିକାଶର ମୁଖଶାଳା ହୋଇପାରିବ ।
ଏହି କାର୍ଯ୍ୟକାରିଣୀରେ ସରକାର ଓ ସଂଗଠନ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ବରିଷ୍ଠ ନେତୃମଣ୍ଡଳୀ । ଏହି ପରିପ୍ରେକ୍ଷିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେପି ସରକାର ଗର୍ବ ଓ ଅହଂକାର ତ୍ୟାଗକରି ଲୋକଙ୍କ ହିତ ଓ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବ । ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ସଂଗଠନକୁ ଶକ୍ତିଶାଳୀ କରିବ । ପ୍ରତ୍ୟେକ କାର୍ଯ୍ୟକର୍ତା ହେଉଛନ୍ତି ସରକାରୀ ଦଳର ଯୋଗ୍ୟ ସେନାପତି । ଲଗାଲ୍ ଠିକ୍ ଧରିଲେ ଘୋଡା ନିୟନ୍ତ୍ରଣରେ ରହିବ । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଶ୍ରୀ ସାମଲ କାର୍ଯ୍ୟକର୍ତାଙ୍କୁ ଆଶ୍ୱସ୍ତିବାଣୀ ଶୁଣାଇଥିଲେ ।
ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ଅବସରରେ ପ୍ରଥମେ ୩ଟି ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା । ଏହାପରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । କେନ୍ଦ୍ର ସରକାରଙ୍କ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଏହାକୁ ସମର୍ଥନ ଜଣାଇଥିଲେ ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି । ଭୋଟର ଭାଇଭଉଣୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏହାକୁ ସମର୍ଥନ ଜଣାଇଥିଲେ ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା, ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ଅପରାଜିତା ଷଡଙ୍ଗୀ, ଭର୍ତୃହରି ମହତାବ, ବରିଷ୍ଠ ନେତା ଜୟନାରାୟଣ ମିଶ୍ର ରାଜନୈତିକ ଚିଠା ପ୍ରସ୍ତାବରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

4 × 3 =