ଜଗତସିଂହପୁର : ଅମରେନ୍ଦ୍ର ହେବେ କିଙ୍ଗ ମେକର୍‌

0 156


ନିର୍ବାଚନ ମଣ୍ଡଳୀ ସମୀକ୍ଷା- ଜଗତସିଂହପୁର


ଭୁବନେଶ୍ୱର : ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଯୁବନେତା ତଥା ଓଡ଼ିଶା କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ କିଙ୍ଗ ମେକର୍‌ ହେବେ ବୋଲି ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି । ଅମରେନ୍ଦ୍ରଙ୍କର ଜଗତସିଂହପୁର ପୌରାଞ୍ଚଳରେ ନିଜସ୍ୱ ଭୋଟ୍‌ ରହିଛି । ଏଥିସହିତ ନାଉଗାଁ ଓ ଜଗତସିଂହପୁରବ୍ଲକ୍‌ ଅଞ୍ଚଳରେ ମଧ୍ୟ କିଛି ପକେଟ୍‌ ଭୋଟ ରହିଛି । ଗତ ପୌର ନିର୍ବାଚନରେ ଜଗତସିଂହପୁରର ବର୍ତ୍ତମାନ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୌରାଞ୍ଚଳରୁ ସେପରି କିଛି ଖାସ୍‌ ସମର୍ଥନ ମିଳିଲା ନାହିଁ । ଫଳରେ ପୌର ନିର୍ବାଚନରେ ଜଗତସିଂହପୁର ମ୍ୟୁନିସିପାଲଟିରେ ବିଜେଡି ପ୍ରାର୍ଥୀଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂହ ଜଗତସିଂହପୁର ପୌରାଞ୍ଚଳରେ ଅଧ୍ୟକ୍ଷ ହୋଇଥିଲେ । ଅମରେନ୍ଦ୍ରଙ୍କ ସମର୍ଥିତ କାଉନସିଲର୍‌ ପ୍ରାର୍ଥୀ ଦେବାଶିଷ ସ୍ୱାଇଁ ୱାର୍ଡ ନଂ-୮ରେ ବିଜୟ ଲାଭ କରିଥିଲେ । ବିଜେପି- କଂଗ୍ରେସ ଅଘୋଷିତ ମେଣ୍ଟ ଫଳରେ ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେପି ମାରି ନେଇଥିଲା । ଅମରେନ୍ଦ୍ରଙ୍କ ସମର୍ଥକଙ୍କ ଅସହଯୋଗ କାରଣରୁ ବିଜେଡିକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା ବୋଲି ସେତେବେଳେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଯଦି ଦଳୀୟ ଟିକେଟ୍‌ ନ ମିଳେ ଅମରେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ଏକରକମ ନିଶ୍ଚିତ ବୋଲି ଜଣାପଡ଼ିଛି । ଫଳରେ ବିଜେଡି ଭୋଟ ଭାଗ ଭାଗ ହେବାର ନିଶ୍ଚିତ ସମ୍ଭାବନା ଥିବାରୁ ଏହା କଂଗ୍ରେସ ପ୍ରାର୍ଥୀଙ୍କୁ ସୁହାଇବ । ଗତଥରର କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ କଂଗ୍ରେସର ନିଲମ୍ବନ ଉଠାଇ ଦେଲା ପରେ ମଧ୍ୟ ସେ ବର୍ତ୍ତମାନ ରାଜନୈତିକ ମଇଦାନରେ ସକ୍ରିୟ ନାହାନ୍ତି । ତେବେ ଶ୍ରୀ ବିଶ୍ୱାଳଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ଜଗତସିଂହପୁରର କଂଗ୍ରେସ ଭୋଟ ନିର୍ଭର କରେ । ଶ୍ରୀ ବିଶ୍ୱାଳ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଛି । ବିଜେଡି ଯଦି ଶ୍ରୀ ବିଶ୍ୱାଳଙ୍କୁ ଦଳରେ ମିଶାଇ ଟିକେଟ ଦିଏ, ତେବେ ରାଜନୈତିକ ସମୀକରଣ ବଦଳିଯିବ ବୋଲି ଆଲୋଚନା ହେଉଛି । ବିଜେପିର ଭୋଟ ପ୍ରତିଶତରେ ବୃଦ୍ଧି ଘଟିଥିଲେ ମଧ୍ୟ ବିଜୟୀ ହେବା ପାଇଁ ଆବଶ୍ୟକ ଭୋଟ ବିଜେପି ପାଖରେ ନାହିଁ । ବର୍ତ୍ତମାନ ଅମରେନ୍ଦ୍ର ନିଜସ୍ୱ କର୍ମୀ ସମ୍ମିଳନୀ ଆୟୋଜନ କରି ସାଂଗଠନିକ ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ତେବେ ଶେଷ ମୁହୂର୍ତ୍ତରେ ଯଦି ଅମରେନ୍ଦ୍ର କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି, ସେହି ପ୍ରାର୍ଥୀ ହିଁ ବିଜୟ ଲାଭ କରିବ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

eight + 3 =