ଉପନ୍ୟାସ ‘ଜମ୍ବୁଲୋକ’ର ଲେଖକ ଭୀମ ପୃଷ୍ଟିଙ୍କୁ ୪୪ତମ ଶାରଳା ପୁରସ୍କାର

0 205

ଭୁବନେଶ୍ୱର: ଉପନ୍ୟାସ ‘ଜମ୍ବୁଲୋକ’ ପାଉଛି ୪୪ତମ ଶାରଳା ପୁରସ୍କାରଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯିବ । ୨୦୧୭ ମସିହାରେ ପଶ୍ଚିମା ପବ୍ଲିକେଶନ୍‍ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ । ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।ଭୀମ ପୃଷ୍ଟିଙ୍କ ‘ଜମ୍ବୁଲୋକ’ ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାରପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପୁସ୍ତକଗୁଡ଼ିକ ଥିଲା ବିଜୟ କୁମାର ଶତପଥୀଙ୍କ ‘ନଷ୍ଟନୀଡ଼ର ଉପକଥା’, ଅପର୍ଣ୍ଣା ମହାନ୍ତିଙ୍କ ‘ଅଗ୍ନି କମଳିନୀ’, ଅମରେଶ ପଟ୍ଟନାୟକଙ୍କ ‘ଚାହଁ ବା ନଚାହଁ’, ସରୋଜିନୀ ସାହୁଙ୍କ ‘ଦାଦନ’, ରମେଶ ପ୍ରସାଦ ପାଣଗ୍ରାହୀଙ୍କ ‘କାନୀନ’ ଏବଂ ପ୍ରଦୀପ କୁମାର ପଣ୍ଡାଙ୍କ ‘ଯାହା ମୁଁ ଚାହୁଁ ନଥିବି’ । ପ୍ରାଥମିକ ପୁସ୍ତକଚୟନ ମଣ୍ଡଳୀରେ ସୀତେଶ ତ୍ରିପାଠୀ, ଡ. ସୁଚେତା ମିଶ୍ର, ଡ.ପରମେଶ୍ଵର ମୁଣ୍ଡ, ବୈଜୟନ୍ତୀ ମିଶ୍ର ଓ ଡ. ପ୍ରୀତିଧାରା ସାମଲ ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଅଧ୍ୟାପକ ବିଶ୍ଵରଞ୍ଜନ, ଡ. ମୃଣାଳ ଚାଟାର୍ଜୀ, ଡ. ପ୍ରସନ୍ନ କୁମାର ମହାନ୍ତି, ଡ. ଯଶୋଧାରା ମିଶ୍ର, ରଂଜନ କୁମାର ଦାସ, ଚିରଶ୍ରୀ ଇନ୍ଦ୍ରସିଂ ଏବଂ ଆଦିତେଶ୍ଵର ମିଶ୍ର । ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ଶେଷ ମୁହୂର୍ତ୍ତରେ ଶ୍ରୀ ପୃଷ୍ଟି ଶାରଳା ପୁରସ୍କାର ଦୌଡ଼ରୁ ବାଦ ପଡ଼ିବା ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ସାହିତ୍ୟିକ ମହଲରେ ଏ ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା ।

Leave A Reply

Your email address will not be published.

15 − 12 =