ରୂପା ଗାଁର ସୁନା କନିଆଁ

0 256

ରଜତ ରଶ୍ମି ସ୍ୱାଇଁ

ସର୍କସ ଦେଖିବାକୁ କାହାକୁ ଭଲ ନଲାଗେ । ସେଥର ‘ଫେମସ୍‌ ସର୍କସ’ ପଡ଼ିଥାଏ ରାହାମା କଲେଜ ପଡ଼ିଆରେ, ମକର ଯାତ୍ରା ବେଳ । ରାହାମାରେ ମକର ଯାତ୍ରା ଓଡ଼ିଶାରେ ପ୍ରସିଦ୍ଧ ମକର ମେଳଣଗୁଡ଼ିକ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମକର ମେଳା । ଧାନକଟା ଛୁଟିରେ ଆମେ ସବୁ ମାମୁ ଘରକୁ ଯାଇଥାଉ । ମାମୁ ଘରୁ ଫେରିବା ବେଳେ ସର୍କସ ଓ ମକର ଯାତ୍ରା ଦେଖି ଆସିଲୁ । ସେଇ ମକର ପଡ଼ିଆରୁ ମୋର ଗୋଟିଏ ଗୁଡ଼ି ନଟେଇ କିଣିବାର ପ୍ରବଳ ଇଚ୍ଛା ଥାଏ । ମୁଁ ଗୋଟିଏ ନଟେଇ ଓ ବନ୍ଧୁକ କିଣିଲି । ସେଇ ନଟେଇ ଓ ବନ୍ଧୁକ ଦେଖାଇ ମୁଁ ପରେ ମୋ ସାଙ୍ଗ ମାନଙ୍କ ଆଗରେ ବାହାଦୂରି ମାରିଥିଲି ।
ଗୁଡ଼ି ଉଡେ଼ଇଲାବେଳେ ମୋତେ ଭାରି ଭଲଲାଗେ । ନୀଳ ଆକାଶରେ ମୁକ୍ତ ବିହଙ୍ଗ ଭଳି ଉଡ଼ି ବୁଲୁଥିବା ଗୁଡ଼ିକୁ ଦେଖି ମୁଁ ଭାବେ, ମୁଁ ଯେପରି ଗୁଡ଼ିହୋଇ ଆକାଶରେ ବୁଲୁଛି । ଆକାଶରେ ମେଘ ସାଥେ ସାଥୀ ହୋଇ ମୁଁ ଦୂର ରାଇଜକୁ ଚାଲିଯାଉଛି ନୀଳ ଆକାଶର ବିଶାଳ ହୃଦୟରେ ଏକାତ୍ମା ହୋଇ ସାରାବିଶ୍ୱର ମୁଁ ହୋଇଯାଉଛି । ସମସ୍ତଙ୍କୁ ଭଲପାଇବା ଓ ସମସ୍ତଙ୍କୁ ନିଜର କରିବାର ଗୁଣ ବୋଧେ ଖୋଲା ଆକାଶର ଗୁଡ଼ି ଛଡ଼ା ଆଉ କେହି ଶିଖାଏନି । ତା’ ସହିତ ନୂଆ ନଟେଇଟି ମିଳିଥିବାରୁ ମୋର ଗୁଡ଼ି ଉଡ଼ାଇବାରେ ପ୍ରବଳ ଉତ୍ସାହ ଆସି ଯାଇଥାଏ ।
ମୁଁ ଯେତେବେଳେ ଗୁଡ଼ି ଉଡେ଼ଇବାକୁ ଆମଘର ପଛପଟେ ଥିବା ଗହୀର ବିଲ ଆଡ଼କୁ ଯାଏ, ସେତେବେଳେ ଆମ କ୍ଲାସ୍‌ରେ ପଢ଼ୁଥିବା ସୋନି ତାଙ୍କ ବାଡ଼ି ପଛପଟେ ଥିବା ଗୋଟ୍‌ ପାଖ ଆମ୍ବଗଛଟିର ଡ଼ାଳରେ ବସି ମୋତେ ଚାହିଁଥାଏ ।
ତାଙ୍କ ଘରଟି ଠାକୁର ମୁଣ୍ଡରେ । ଠାକୁର ମୁଣ୍ଡରେ ଅର୍ଥାତ୍‌ ଠାକୁର ମନ୍ଦିର ପାଖରେ ପଶ୍ଚିମେଶ୍ୱର ମନ୍ଦିର । ସେ ଅଞ୍ଚଳର ବିଖ୍ୟାତ ମନ୍ଦିର । ତା’ରି ପାଖରେ ।
ସେମାନେ ବ୍ରାହ୍ମଣ ହୋଇଥିବାରୁ ତା’ ବାପା ମନ୍ଦିରର ପୂଜକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଆଗରୁ ତା’ ବାପା କଲିକତାରେ ଚାକିରି କରୁଥିଲେ । ସେ ବି କିଛିଦିନ କଲିକତାରେ ରହି ପଢ଼ୁଥିଲା । ସେଠାରେ ଓଡ଼ିଆ ପଢ଼ିବାର ସୁବିଧା ନ ହେବାରୁ ତା’ ବାପା ଗାଁରେ ଆଣି ଛାଡ଼ିଦେଇଗଲେ । ତେଣୁ ସେ ଅନ୍ୟ ପିଲାମାନଙ୍କ ଠାରୁ ଅଧିକ ସ୍ମାର୍ଟ ଥିଲା । ମୁଁ କ୍ଲାସରେ ଭଲ ପଢ଼ୁଥିଲି ଓ ଅନ୍ୟ ସାଥୀମାନଙ୍କ ଠାରୁ ବୋଧେ ଅଧିକ ଆକର୍ଷଣୀୟ ଥିଲି । ତେଣୁ ସୋନି ମୋ ସହିତ ଆସି ଆଗୁଆ କଥାବାର୍ତ୍ତା କରୁଥିଲା । ଖେଳଛୁଟିରେ ପାଖରେ ବସୁଥିଲା ସର୍ବୋପରି ତା’ର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଥିଲା ।
ଦିନେ ସାର୍‌ କ୍ଲାସରେ ଗୋଟିଏ ପ୍ରଶ୍ନ ପଚାରିଲେ, ସୋନି ଓ ଅନ୍ୟମାନଙ୍କୁ । ସେମାନେ କେହି ଉତ୍ତର ଦେଇ ପାରିଲେ ନାହିଁ । ତା’ପରେ ସେହି ପ୍ରଶ୍ନଟି ମୋତେ ପଚାରିଲେ, ମୁଁ ତା’ର ଉତ୍ତର ଦେଇଦେଲି । ସାର୍‌ ମୋତେ କହିଲେ, ସେମାନଙ୍କ କାନ ମୋଡ଼ି ଥାପଡ଼୍‌ (ଜାବୁଡ଼ା) ଦେବାକୁ ।
ମୋର ସମସ୍ତ ସାଙ୍ଗ ଭାବିଥିଲେ ମୁଁ ସୋନିକୁ ଆସ୍ତେ ମାରିବି । କିନ୍ତୁ କାହିଁକି ଉତ୍ତର ଦେଇପାରି ନଥିବା ଅନ୍ୟମାନଙ୍କୁ ମୁଁ ଆସ୍ତେ ମାରିଥିଲା ବେଳେ ସୋନିକୁ ଜୋର୍‌ରେ କାନ ମୋଡ଼ି ଜାବୁଡ଼ା ମାରିଦେଲି । ସୋନିର ଗୋରା ଗାଲରେ ମୋ ହାତର ପାଞ୍ଚ ଆଙ୍ଗୁଳିର ନାଲିଚିହ୍ନ ରହିଗଲା ।
ସୋନିର ଥମ୍‌ ଥମ୍‌ ମୁହଁ ଓ ଆଖି କୋଣରେ ଲୁହ ଅନ୍ୟମାନଙ୍କୁ ଦୁଃଖିତ କରିଦେଲା । ସାର୍‌ ଗଲାପରେ ସୋନିର ସାଙ୍ଗମାନେ ମୋତେ କହିଳେ, ତୁ ଏମିତି କାହିଁକି ତାକୁ ମାରିଲୁ । ସିଏ ତତେ ସମସ୍ତଙ୍କ ଠାରୁ ଅଧିକ ଭଲପାଉଛି । ମୁଁ ତା’ର କିଛି ଜବାବ୍‌ ଦେଇ ପାରିନଥିଲି । ପ୍ରକୃତରେ ମୁଁ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଥିଲି ଯେ ମୋର ସୋନିର କିଛି ସମ୍ପର୍କ ନାହିଁ । ଏହାର କିଛିଦିନ ପର୍ଯ୍ୟନ୍ତ ସୋନି ମୋ ସହିତ କଥାବାର୍ତ୍ତା କଲାନି ।
ଦିନେ ମୁଁ ମନ୍ଦିର ପାଖକୁ ଯାଇଥିଲି । ମନ୍ଦିର ପାଖରେ ମୋର ଅନେକ ସାଙ୍ଗ ଥିଲେ । ମୁଁ ସେମାନଙ୍କ ସହ ଖେଳୁଥିଲି। ହଠାତ୍‌ ସୋନି ଅ।।ସି ମୋ ପାଖରେ ହାଜର । କହିଲା, ତୁ ଏମିତିଆ ପ୍ୟାଣ୍ଟ୍‌ କ’ଣ ପିନ୍ଧିଛୁ, ମୋତେ ଏ ରଙ୍ଗଟା ଜମା ଭଲ ଲାଗେନି । ମୁଁ କହିଲି, ତତେ ଯୋଉଟା ଭଲ ଲାଗିବ, ମୁଁ କ’ଣ ସେଇଟା ପିନ୍ଧିବି । ମୋ ଇଚ୍ଛା ମୁଁ ଯାହା ପିନ୍ଧିବି । ତା’ ପରେ କହିଲା ତୁ କାହାକୁ ଭଲପାଉ କହିଲୁ । ମୁଁ କିଛି କହିଲିନି ଓ ପୁଣି କହିଲା, ତୁ ମୋତେ ଭଲ ପାଉ ନା କହ, ମୋତେ ଏତିକି କଥାରେ ତା’ର ମୁହଁରେ ପ୍ରସନ୍ନତାର ଢେ଼ଉ ଖେଳିଗଲା । କହିଲା, ଆ, ଆମ ଘରକୁ ଯିବା, ମୁଁ କହିଲି, ନାଁ ଆଉ କେବେ ଯିବି । ତା’ପରେ ସେ ଖୁସିହୋଇ ଚାଲିଗଲା । ମୁଁ ଖେଳିସାରି ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଆମ ଘରକୁ ଗଲି।
ତା’ର ପାଠ ହେଉନଥିଲା । ସେ ସହରରେ ରହୁଥିବା ତା’ର ଭାଇ ଭାଉଜଙ୍କ ପାଖକୁ ଚାଲିଗଲା ଭଲ ପଢ଼ିବ ବୋଳି । ମୁଁ ସ୍କୁଲ୍‌ ପଢ଼ା ପରେ କଲେଜ୍‌ରେ ପଢ଼ିବା ପାଇଁ ଚାଲି ଆସିଲି କଟକ । ଆମର ଆଉ ଦେଖା ହେଉନଥିଲା । ଅବଶ୍ୟ ପ୍ରତିଥର ନୂଆବର୍ଷରେ ତା’ର ଗ୍ରୀଟିଙ୍ଗସ୍‌ ମୁଁ ପାୁଥିଲି । ମୋ ଗ୍ରୀଟିଙ୍ଗସ୍‌ ସେ ମଧ୍ୟ । କିଛି ବର୍ଷ ମୁଁ ତା’ଠାରୁ ଗ୍ରୀଟିଙ୍ଗସ୍‌ ପାଇଲିନାହିଁ । ମୋ ଗ୍ରୀଟିଙ୍ଗସ୍‌ ମଧ୍ୟ ମୋ ପାଖକୁ ଫେରି ଆସୁଥିଲା ।
ଅନେକ ଦିନ ପରେ ମୁଁ ଯାଇଥିଲି ପଶ୍ଚିମେଶ୍ୱର ମନ୍ଦର ଦର୍ଶନ କରିବାକୁ । ମୁଁ ଠାକୁରଙ୍କୁ ମୁଣ୍ଡିଆ ମାରୁଛି ପଛରୁ ମୋତ କିଏ ନାଅାଁ ଧରି ଡ଼ାକିଲା । ମୁଁ ଦେଖିଲା ବେଳକୁ ମୋର ସ୍କୁଲ ସାଙ୍ଗ କିରଣ । ମୁଁ କହିଲି, କିରଣ ତୁ । ତୋତେ ଏତେ ଦିନ ପରେ ଏମିତି ଦେଖିବି ବୋଲି ମୋର ବିଶ୍ୱାସ ନଥିଲା । ସେ କହିଲା ମୁଁ ମଧ୍ୟ କେବେ ଭାବିନଥିଲି ତୋ ସାଙ୍ଗରେ ଏମିତି ଦେଖାହେବ ବୋଲି ।
ଆମେ ସବୁ ବହୁତ କଥା ହେବା ପରେ ସେ କହିଲା, ସୋନି ଆସିଛି ।” ମୁଁ କହିଲି, ସୋନି ଆସିଛି ମାନେ, ସେ କହିଲା, “ସୋନି ତା’ ଶାଶୁଘରୁ ବାପଘରକୁ ଆସିଛି ।” ମୁଁ କହିଲି ତା’ ସାଙ୍ଗରେ ଟିକେଦେଖା କରିହେବ ।” ସେ କହିଲା, “ଆ ମୋ ସାଙ୍ଗରେ” ।
ସୋନି ବସି ଚାଉଳରୁ ଧାନ ବାଛୁଥିଲା । ମୋତେ ଦେଖି ଆକାଶରୁ ଖସି ପଡ଼ିବା ଭଳି ଚାହିଁ ରହିଲା । ତା’ ଆଖି କୋଣରେ ଲୁହ ଜକେଇ ଆସୁଥିଲା ।
ମୁହଁଟାକୁ ବୁଲେଇନେଇ ଲୁହ ପୋଛି ପୁଣି ଆମ ଆଡ଼କୁ ଅନେଇ ହସିଦେଲା । କହିଲା, ଏତେଦିନ ପରେ ମନେପଡ଼ିଲା ।
ମୁଁ କହିଳି, ଏସବୁ…. । ସେ କହିଲା, “ମୁଁ ଦିନେ ଟିଉସନ୍‌ ସାରି ରାତିରେ ଫେରୁଥିଲି । ଆମ ଗାଁ ସରପଞ୍ଚଙ୍କ ପୁଅ ମୋତେ…. । ତା’ ପରେ ପଞ୍ଚାୟତ ବସିଲା ।
ତାଙ୍କ ଘର ଲୋକେ କହିଲେ ୫୦ ହଜାର ଟଙ୍କା ନଦେଲେ, ଆମେ ବାହାଘର କରିବୁ ନାହିଁ । ମୋ ବାପା ଜମି ବିକି ୫୦ ହଜାର ଟଙ୍କା ଦେଲେ । ବାହାଘର ହେଲା ।”
ମୁଁ ସବୁ ଶୁଣୁଛି ନିଶ୍ଚଳ ପଥରମୂର୍ତ୍ତି ଭଳି । ସେତିକିବେଳେ ତା’ ପୁଅ ଚାଲିଆସିଲା । ମୁଁ ଚମକି ପଡ଼ିଲି, ସେ ଯେତେବେଳେ ମୋ ନାଅାଁ ଧରି ତା’ ପୁଅକୁ ଡ଼ାକିଲା । ମୁଁ ତା’ ପୁଅ ÷ାତରେ କିଛି ଟଙ୍କା ଦେଲି । ସେ ନଉ ନଥିଲା । ତା’ ମାଆ ମଧ୍ୟ ତାକୁ ନେବାକୁ ମନା କରୁଥିଲା । ମୁଁ ଜବରଦସ୍ତି ତା’ ପକେଟ୍‌ରେ ପୁରାଇଦେଲି ।
ଆସିଲାବେଳେ ମୁଁ କହିଲି, “ସୋନି, ତୋ ପୁଅ ବହୁତ ସୁନ୍ଦର ହୋଇଛି । ତୁ ଯେମିତି ଆମ କ୍ଲାସ୍‌ରେ ସୁନ୍ଦରୀ ଥିଲୁ, ସେ ସେମିତି ସୁନ୍ଦର ହୋଇଛି ।” ସେ କହିଲା, “ତୁ ମୋତେ ଦେଖିନୁ ନା, ମୁଁ ସଜ ହେଲେ ଆହୁରି ସୁନ୍ଦର ଦେଖାଯିବି ।” ମୁଁ ହସିଦେଲି, ସେ ହସିଦେଲା କେମିତି ଏକ ଉଦାସୀ ଆଖିରେ । ମୁଁ ଆସିବା ପର୍ଯ୍ୟନ୍ତ ତା’ ଓଠରେ ହସର ଧାର ଲାଗିରହିଥିଲା ।

Leave A Reply

Your email address will not be published.

nineteen − 19 =