ସ୍ମୃତିର ଝରକାରୁ ଚେନାଏ ଆକାଶ

0 346

ପୂଜ୍ୟ କବି ଜୟନ୍ତ ମହାପାତ୍ରଙ୍କ ସ୍ମରଣେ

ଲକ୍ଷ୍ମୀପ୍ରିୟା ଓଝା

ଆଜି ମୁଁ ଦେଖୁଛି ଲୋଚାକୋଚା ଚମ । ସେଦିନ ଦେଖିଥିଲି ସୁଠାମ ଶରୀର । କିନ୍ତୁ ମୁହଁରେ ସେମିତି ଶିଶୁତ୍ଵ ଓ ଦେବତ୍ଵର ମିଶାମିଶି ଦ୍ୱିତି ଆଜି ଆଉ ସେଦିନ ଭିତରେ କିଛି ଫରକ୍ ନାହିଁ ଯେମିତି । ସେଇ ହସ । ସେଇ ଆତ୍ମିୟପଣ।

ମନେଅଛି ସାର୍ , ଆପଣଙ୍କ ସହ ପ୍ରଥମ ଭେଟର ଦିନ ? ହୁଏତ ଭୁଲି ଯାଇଥାଇ ପାରନ୍ତି ଆପଣ, ନଥାଇ ବି ପାରନ୍ତି । ମୁଁ କିନ୍ତୁ ଭୁଲିନାହିଁ ସେଇ ମୁହୂର୍ତ୍ତ ଗୁଡ଼ିକୁ, ଆପଣଙ୍କର ମୋତେ ଓ ମୋ କବିତାକୁ ନେଇ ସୁନ୍ଦର ସୁନ୍ଦର କଥା ଗୁଡ଼ିକୁ ।

ବିଶିଷ୍ଠ ଗାଳ୍ପିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ସହ ମୁଁ ଯେବେ ଯାଇଥିଲି ଶୈଳବାଳା ହଷ୍ଟେଲ ଫଙ୍କସନରେ ଆସିବାକୁ ଆପଣଙ୍କୁ ନିମନ୍ତ୍ରଣ କରିବାକୁ । ସେବେ ମୁଁ ଜାଣିନଥିଲି ଆପଣ କିଏ, କଣ ଲେଖନ୍ତି, କେତେ ପ୍ରସିଦ୍ଧ, କେତେ ବଡ ଲୋକ । କାସ ଜାଣିଥାନ୍ତି କି ତାହାଲେ ମନ ପୁରାଇ ଦେଖିଥାନ୍ତି ଆପଣଙ୍କୁ । ନମସ୍କାର ନକରି ଆପଣଙ୍କ ପାଦ ଛୁଇଁଥାଆନ୍ତି। ଆପଣ ଠିଆ ହେଇଥିଲେ ବାହାରେ । ଆଦରରେ ପାଛୋଟି ନେଲେ ଆମକୁ ଘର ଭିତରକୁ । ସମ୍ଭ୍ରମତା ସହ ଆପଣଙ୍କ ଘରେ ବସିଲା ଭିତରେ ମାଡାମ କିଛି ଖାଇବା ଆଣି ଦେଲେ । ମୁଁ ମନାକଲାରୁ ଆପଣ କହିଲେ , ” କଣିି ପରିକା ତ ହେଇଛ । ଖାଇଦେଲେ ବରଗଛ ହେଇଯିବ ନାହିଁ । ଖାଅ । ” ବୀଣା ମାଡ଼ମ ମୋତେ ଖାଇବାକୁ ଠାରି ଦେଇ ତାଙ୍କ ସ୍ଵଭାବସିଦ୍ଧ ଭଙ୍ଗୀରେ ମୁଁହ ମୋଡ଼ି କହିଲେ, ଆଜିକାଲି ପିଲାଙ୍କ ଫ୍ୟାସନ । ”

ଶୈଳବାଳା କଲେଜର ଶେଷ ବର୍ଷ ମୋର । ଆପଣ ଆସିଲେ କଲେଜ ଲିଟେରାରି ଫଙ୍କସନରେ ଅତିଥି ହେଇ । ମଞ୍ଚାସିନ ହେଲେ । ଆପଣଙ୍କ ପାଖରେ ବସିବାର ସୌଭାଗ୍ୟ ମିଳିଲା ମୋତେ କଲେଜ ଲିଟେରାରୀ ସେକ୍ରେଟାରୀ ହେଇଥିବା ଯୋଗୁ । ଆପଣଙ୍କ ଭାଷଣ ମୁଁ ମନ୍ତ୍ରମୁଗ୍ଧ ହେଇ ଶୁଣୁଥିଲି । ଲାଗୁଥିଲା ନ ସରୁ କି ଜମା । ସରିଲା ପରେ କହିଲି , “ଭଲ ଲାଗିଲା ଆପଣଙ୍କ ଭାଷଣ” । ବୋଧେ ସେତିକି ଶବ୍ଦ ଜାଣିଥିଲି ପ୍ରଶଂସା କରିବା ପାଇଁ । ମୋ କବିତା ପଢିଲା ପରେ ଯେବେ ଆପଣଙ୍କ ପାଖରେ ଆସି ବସିଲି ଆପଣ କହିଲେ , ” ଏ କବି, ବିଖ୍ୟାତ ହେଇ ଏ ଅଖ୍ୟାତ କବିକୁ ଭୁଲି ଯିବନି ।” ମୁଁ ଲାଜେଇ ଗଲି ସତ କିନ୍ତୁ କୋଉଠି ନା କୋଉଠି ଆତ୍ମ ସନ୍ତୋଷ ଆସିଲା କି ଯାହାହେଉ ମୁଁ ଭଲ ଲେଖୁଛି । କିନ୍ତୁ ସତ କହୁଛି ସାର୍ ମୁଁ ସେବେ ଜମା ଜାଣିନଥିଲି ଆପଣ କେତେ ବିଖ୍ୟାତ । ତାପରେ ଆପଣ କହିଲେ,” ଭଲ ଲେଖୁଛ । ଲେଖା ଛାଡିବନି। ବହୁତ ପଢ଼ ।” ଦେଖନ୍ତୁ ନା ମୁଁ ଲେଖା ଛାଡ଼ିଦେଇଥିଲି ଅନେକ ବର୍ଷ । କିନ୍ତୁ ଭୁଲି ନଥିଲି ଆପଣଙ୍କ କଥା ଆଉ ସେ ମୁହୂର୍ତ୍ତ ଗୁଡ଼ିକୁ ।

ସେଇ ପ୍ରଥମ ଦେଖରେ ଆପଣ ମୋ ହୃଦୟରେ ଘର କରିଗଲେ । ଏ ଭିତରେ ବିତିଗଲାଣି ଦୀର୍ଘ ପଇଁତିରିଶ ବର୍ଷ । ଓଡ଼ିଶା ଗଲେ ବହୁତ ଥର ଇଛା ହେଇଛି ଆପଣଙ୍କୁ ଦେଖିବାକୁ ଯିବାକୁ । କିନ୍ତୁ ସମ୍ଭ୍ରମତା ବଶତଃ ଯାଇ ପାରିନି କେବେ । କିନ୍ତୁ ସତ କହିଛି ବହୁତ ଇଛା ହେଇଛି ଆପଣଙ୍କୁ ଭେଟିବାକୁ । କିନ୍ତୁ ଭେଟି ନ ପାରିବାର ଦୁଃଖ ଓ ଅବଶୋଷ ରହିଗଲା ଚିରଦିନ ।

ପ୍ରଣାମ କବି । ଆପଣଙ୍କୁ ଅନ୍ତରର ଗଭୀରତମ ପ୍ରଦେଶରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଆପଣଙ୍କ ଅମର ଆତ୍ମ ଶାନ୍ତି ପାଉ । ବିଭୂଙ୍କ ଚରଣରେ ସ୍ଥାନ ପାଉ ।

Leave A Reply

Your email address will not be published.

6 − five =