ଗାନ୍ଧୀ ଚିନ୍ତନ

0 596

ରାଜେଶ ପୂଜାରୀ

ଜାତୀୟ ପିତା ବାପୁଜୀ ହେ ଆଜି,
ତମକୁ ମନେ ରଖିଛୁ ବୋଲି
ପ୍ରମାଣ ଦେବାର ଦିନ
ଫଶେଇବାକୁ କିଛି ସୁନା ରୂପା ମାଛ
ମାଛି ଅନ୍ଧାର ଛାତିରେ
ଜାଲ ଖେଳିବାରେ
ବହିଯାଏ ବାକି ତକ ପାଣି ଓ ପବନ।

ବିଦେଶୀ ବେଢ଼ିରୁ ମୁକୁଳେଇ ଦେଲ ସିନା
ଏବେ ଏଠି ଆମେ
ନିଜେ ନିଜ ପାଇଁ ପରାଧିନ
ତମ ରାମରାଜ୍ୟ ସ୍ବପ୍ନ ଚୁଲିକି ଯାଉ ପଛେ
ତଥାପି କରିବୁ ତୁମ ଦେଖଣିଆଁ ଜୟଗାନ।

ସର୍ବବ୍ୟାପୀ ଦୁର୍ନୀତିର ଚେର
ରକ୍ଷକ ଭକ୍ଷକ ଜଗୁଆ ଚୋର
ଗଢିଥିବା ଲୋକ ଭାଙ୍ଗଇ ଘର
ହିଂସା ଅସୂୟାର କବଳରେ
ଆଜି ସବୁକିଛି ପ୍ରୀତିହୀନ
ତଥାପି ସଜାଉ ନିତିଦିନ
ଭଲ ପାଇବାର ମିଛ ବାତାୟନ।

ଉଡୁନାହିଁ ଆଉ ଏକତା ପାରା
ସଂସ୍କୃତି ସଂପ୍ରୀତି ଛାଡିଲେ ଧରା
ବାଘ ଓ ହରିଣ ଗୋଟିଏ ଘାଟରେ
ଏବେ ପିଇଲେଣି ପାଣି ପରା
ଧାଇଁ ଧାଇଁ ଖାଲି ଗଲା ଜୀବନ
ତଥାପି ନିଜେ ନିଜେ କହି ହେଉ
ଆମେ ବହୁତ ଭାଗ୍ୟବାନ।

ମାଟି ମାତୃକା କରୁଛି ଚିତ୍କାର
ନାରା ଆଉ ଶୁଭୁନାହିଁ ସତ୍ୟ ଅହିଂସାର
ରାଜା ଠାରୁ କଟୁଆଳ
ବୃଥା ଆତ୍ମା ବଡି଼ମାରେ ଭୋଳ
ବିପରୀତ ହେଲା କପିତ୍ରୟୀ ଚଳନ
ଅହରହ ଚାଲେ ଢୋ’ ନୀତିର ପାଳନ
ତଥାପି ଆମେ ଘଣ୍ଟା ଘଣ୍ଟା ମାଡିଯାଉ
କେବେ ଯଦି ହେଲୁ ମଞ୍ଚାସୀନ।

ବାକି ଦିନ ମାନଙ୍କରେ
ତୁମକୁ କିଏ ପଚାରେ
ବନ୍ଦୀ ଚିରକାଳ ତୁମେ କାଚଫ୍ରେମ ଭିତରେ
ପ୍ରତ୍ୟକ୍ଷଦର୍ଶୀ ଯାହା ହୁଏ ଅସଙ୍ଗୀନ
ଗାନ୍ଧୀବାଦ କରେ ଖାଲି ପୁସ୍ତକ ମଣ୍ଡନ
ତଥାପି ଆମେ କହିପାରୁ ଦୋଷ ଛଡେଇବାକୁ
ମହାତ୍ମା ଗାନ୍ଧୀ ମହାନ ମହାତ୍ମା ଗାନ୍ଧୀ ମହାନ।

⚫⚫⚫

Leave A Reply

Your email address will not be published.

13 − 3 =